ରାଉରକେଲା:12//1,(ଉତ୍କଳ ସମାଚାର) ଆନ୍ତର୍ଜାତୀୟ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଓଡ଼ିଶା ପ୍ରାନ୍ତ ସ୍ତରୀୟ ବୈଠକ ରବିବାର ଦିନ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି। ସହରର ଟ୍ରାଫିକ ମାର୍କେଟସ୍ଥିତ ପଞ୍ଚତୀର୍ଥ ମନ୍ଦିର ପରିସରରେ ସକାଳୁ ଦୁଇଟା ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକ ସାମୂହିକ ହନୁମାନ ଚାଳିଶା ପାଠରୁ ଆରମ୍ଭ ହୋଇଥିଲା। ଏଥିରେ ହିନ୍ଦୁ ସମାଜ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଗଭୀର ଆଲୋଚନା କରାଯାଇଥିଲା।ବୈଠକରେ ହିନ୍ଦୁ ସ୍ୱାର୍ଥ ରକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ସଂଗଠନର ପ୍ରତିଷ୍ଠାତା ତଥା ପ୍ରଖର ହିନ୍ଦୁ ନେତା ଡକ୍ଟର ପ୍ରବୀଣ ଭାଇ ତୋଗାଡ଼ିଆଙ୍କ ଆଦର୍ଶରେ ଚାଲିବା ପାଇଁ ସଂକଳ୍ପ ନେବା ସହ ଉପସ୍ଥିତ ପଦାଧିକାରୀ ଓ କର୍ମକର୍ତ୍ତାମାନେ ହିନ୍ଦୁ ସମାଜକୁ ଏକସୂତ୍ରରେ ବାନ୍ଧିବା ପାଇଁ ଆହ୍ୱାନ କରିଥିଲେ।ପ୍ରାନ୍ତୀୟ ନେତା ରାଜୁ ସିଂହ, ଲବ ରାଣା (ପ୍ରାନ୍ତ ସମ୍ପାଦକ)ଙ୍କ ସମେତ ଅନ୍ୟ ବକ୍ତାମାନେ କହିଥିଲେ ଯେ, ହିନ୍ଦୁ ବିରୋଧୀ କାର୍ଯ୍ୟକଳାପକୁ ସବୁ ସ୍ତରରେ ବିରୋଧ କରାଯିବ। ହିନ୍ଦୁ ସମାଜର ସମସ୍ୟାର ସମାଧାନ ପାଇଁ ହନୁମାନ ଚାଳିଶାକୁ “ରାମବାଣ” ବୋଲି ଅଭିହିତ କରି ସେମାନେ ରାଉରକେଲା ସମେତ ସମଗ୍ର ଓଡ଼ିଶାର ପ୍ରତି ଗଳିକନ୍ଦିରେ ହନୁମାନ ଚାଳିଶା ପାଠ କେନ୍ଦ୍ର ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ।ନେତାମାନେ କହିଥିଲେ ଯେ, ଯେପରି ଖ୍ରୀଷ୍ଟିଆନ ସମ୍ପ୍ରଦାୟ ରବିବାର ଦିନ ଚର୍ଚ୍ଚରେ ପ୍ରାର୍ଥନା କରନ୍ତି ଏବଂ ମୁସଲମାନ ସମ୍ପ୍ରଦାୟ ଶୁକ୍ରବାର ଦିନ ମସଜିଦରେ ନମାଜ ପଢ଼ନ୍ତି, ସେହିଭଳି ପ୍ରତ୍ୟେକ ହିନ୍ଦୁ ମଙ୍ଗଳବାର ଏବଂ ଶନିବାର ଦିନ ମନ୍ଦିର ଯାଇ ହନୁମାନ ଚାଳିଶା ପାଠ କରିବା ଉଚିତ। ଏଥିସହିତ ସାମୂହିକ ହନୁମାନ ଚାଳିଶା ପାଠ ଆୟୋଜନ କରିବାକୁ ମଧ୍ୟ ନିବେଦନ କରାଯାଇଥିଲା।ଏହି ବୈଠକରେ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାରୁ ଶତାଧିକ ପ୍ରତିନିଧି ଓ ପଦାଧିକାରୀ ଯୋଗ ଦେଇଥିଲେ। ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା, ଗୋହତ୍ୟା ଓ ଚୋରା ଚାଲାଣକୁ ବିରୋଧ କରିବା ଏବଂ ଧର୍ମାନ୍ତରୀକରଣ ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ଅବସରରେ ରାଉରକେଲା ଜିଲ୍ଲା ଏବଂ ମହାନଗର ଶାଖାର ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା। ବୈଠକ ଶେଷରେ ସାଂଗଠନିକ ଏକତା ଏବଂ ହିନ୍ଦୁ ସମାଜର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ସଂକଳ୍ପ ଦୋହରାଯାଇଥିଲା।ରାଜ୍ୟ ସଭାପତି କିଶୋର ମିଶ୍ର, ପ୍ରାନ୍ତୀୟ ଉପସଭାପତି ବିଜୟ ଜଲାନ, ରାଷ୍ଟ୍ରୀୟ କିଷାନ ପରିଷଦର ପ୍ରାନ୍ତୀୟ ସଭାପତି ଗଜେନ୍ଦ୍ର ସୋୟ, ଏ.ଏଚ୍.ପି ର ବିଭାଗ ସଭାପତି ଅରୁଣ ସିଂହ, ରାଷ୍ଟ୍ରୀୟ ବଜରଙ୍ଗ ଦଳର ସମ୍ବଲପୁର ବିଭାଗ ସଭାପତି ବିବେକ ଶର୍ମା, ପ୍ରାନ୍ତ ଉପସଭାପତି ଅନିଲ ଚୌଧୁରୀ ପ୍ରମୁଖ ଯୋଗଦେଇ ହିନ୍ଦୁ ସ୍ୱାର୍ଥ ରକ୍ଷା ପାଇଁ ଏକଜୁଟ ହେବାକୁ ଗୁରୁତ୍ୱ ଦେଇଥିଲେ।ନୂତନ ଦାୟିତ୍ୱ ପାଇଥିବା କର୍ମକର୍ତ୍ତା:ମୋନୁ ସିଂହ: ରାଷ୍ଟ୍ରୀୟ ବଜରଙ୍ଗ ଦଳ, ରାଉରକେଲା ଜିଲ୍ଲା ସଭାପତିଆଡଭୋକେଟ ରାଜେଶ କାନ୍ନା: ଜିଲ୍ଲା ସମ୍ପାଦକପ୍ରେମ ସାହୁ: ରାଉରକେଲା ମହାନଗର ସଭାପତିସୂରଜ ମହତୋ: ମହାନଗର ସମ୍ପାଦକଲିପ୍ସା ରଞ୍ଜିତ: ମହିଳା ସଂଗଠନ ‘ଓଜସ୍ୱିନୀ’ର ମହାନଗର ସଭାନେତ୍ରୀପ୍ରତୀକ ଜେନା: ରାଷ୍ଟ୍ରୀୟ ଛାତ୍ର ପରିଷଦର ମହାନଗର ସଭାପତି

