ରାଉରକେଲା:13//1,(ଉତ୍କଳ ସମାଚାର) ହମିରପୁର ରାମକୃଷ୍ଣ ମିଶନ ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଆସି ରାମକୃଷ୍ଣ ମିଶନ ଠାରେ ପହଞ୍ଚିଥିଲେ। ମିଶନର ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଡ ସରିତା ମଲ୍ଲଙ୍କ ମଞ୍ଚ ସଂଯୋଜନାରେ ସମ୍ପାଦକ ଦିବ୍ୟ ସ୍ବରୁପାନନ୍ଦଜୀ ମହାରାଜ,ସହ ସମ୍ପାଦକ ପୂଜାନନ୍ଦଜୀ ମହାରାଜ, ହମିରପୁର ଉନ୍ନୟନ ପରିଷଦର ସଭାପତି ଡ ସୁମନ ଦତ୍ତ, ଶିକ୍ଷକ ରଞ୍ଜନ କୁମାର ସାମଲ, ଦିବ୍ୟଜ୍ୟୋତି ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ବାମୀ ବିବେକାନନ୍ଦ ଙ୍କ ବାଣୀ,ଜୀବନାଦର୍ଶ ଓ ସମଗ୍ର ଭାରତବର୍ଷ ତଥା ବିଶ୍ବକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସମ୍ପାଦକ ଦିବ୍ୟ ସ୍ବରୁପାନନ୍ଦଜୀ ମହାରାଜ ଅନୁଷ୍ଠାନର ଗଦାଧର ଅଭ୍ୟୁଦୟ ପ୍ରକଳ୍ପ ଓ ମିଶନ ଠାରେ ଦିଆଯାଉଥିବା ଶିକ୍ଷା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସଭାପତି ଶ୍ରୀ ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ। ପୂଜାନନ୍ଦଜୀ ମହାରାଜ ବିବେକାନନ୍ଦ ଓ ମିଶନ ସମ୍ପର୍କିତ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହମିରପୁର ର ବିବେକାନନ୍ଦ ଯୁବକ ସଂଘ, ସେକ୍ଟର ୩ ର ବାଜି ରାଉତ ଶିକ୍ଷା ନିକେତନ, ସେକ୍ଟର ୨୦ ର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରେଲୱେ କଲୋନୀର ସିଟି ଇଂଲିଶ ସ୍କୁଲ, ଗୋପବନ୍ଧୁପାଲି ର ଆନନ୍ଦଧାମ ଓ ହମିରପୁର ଗୋପବନ୍ଧୁ ହାଇସ୍କୁଲର ଛାତ୍ର ଛାତ୍ରୀ ମାନେ ପ୍ରଭାତଫେରୀ ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ମିଶନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସଂଯୋଜକ ଡ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ।

