ରାଉରକେଲା ୧୩/୧,(ଉତ୍କଳ ସମାଚାର): ପୋଲିସ୍ ଜିଲ୍ଲାର ପ୍ଲାଣ୍ଟସାଇଟ୍ ଥାନା ଦ୍ବାରା ୬ ଅଭିଯୁକ୍ତଙ୍କ ଗିରଫ ସମେତ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆହୁଜା ବ୍ରାଣ୍ଡର ବହୁ ସଂଖ୍ୟାର ସାଉଣ୍ଡ ସିଷ୍ଟମ ଜବତ୍ କରାଯାଇଛି। ଆଜି ପ୍ଲାଣ୍ଟସାଇଟ୍ ଥାନା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ଲାଣ୍ଟସାଇଟ୍ ଥାନା ଅଧିକାରୀ ଦେବେସ୍ତ ପ୍ରଧାନ।

ସୂଚନା ଅନୁସାରେ, ପ୍ଲାଣ୍ଟସାଇଟ୍ ଥାନାରେ ସିଭିଲ୍ ଟାଉନସିପରେ ରହୁଥିବା ଅଭିଯୋଗକାରୀ ଦବିନ୍ଦର ସିଂହ (୫୯)ଙ୍କ ଅଭିଯୋଗ କ୍ରମେ, ରାଉରକେଲା ଷ୍ଟେସନ୍ ନିକଟସ୍ଥ ମଧୁସୂଦନ ମାର୍ଗରେ ଜଗଜିତ ଇଲେକ୍ଟ୍ରିକାଲ୍ ନାମରେ ଏକ ଇଲେକ୍ଟ୍ରିକାଲ୍ ସାଉଣ୍ଡ ସିଷ୍ଟମ୍ ଦୋକାନ ରହିଛି ଏବଂ ତାଙ୍କର ଇଲେକ୍ଟ୍ରିକାଲ୍ ସାଉଣ୍ଡ ସିଷ୍ଟମ୍ ମେସିନ୍ ଇତ୍ୟାଦି ରଖିବା ପାଇଁ ରାଉରକେଲାର ଡିଏଭି ଲେନ୍ରେ ଏକ ଗୋଦାମ ମଧ୍ଯ ରହିଛି। ଗତ ୨୦୨୬ ଜାନୁଆରୀ ୧୧ ତାରିଖରେ ସେ ପ୍ରାୟ ୩ଟା ୪୫ ସମୟରେ ସଠିକ୍ ତାଲା ଏବଂ ଚାବି ସହିତ ତାଙ୍କର ଦୋକାନ ଏବଂ ଗୋଦାମ ବନ୍ଦ କରି ତାଙ୍କ ଘରକୁ ଯାଇଥିଲେ। ପରଦିନ ଅର୍ଥାତ୍ ଜାନୁଆରୀ ୧୨ ତାରିଖରେ ସେ ତାଙ୍କ ଗୋଦାମକୁ ଆସି ଦେଖିଲେ ଯେ, ଗୋଦାମ ଦ୍ୱାରର ତାଲା ଭଙ୍ଗା ଯାଇଛି ଏବଂ କିଛି ଇଲେକ୍ଟ୍ରିକାଲ୍ ସାଉଣ୍ଡ ସିଷ୍ଟମ୍, ମେସିନ୍, ବାକ୍ସ, ସ୍ପିକର୍ ଇତ୍ୟାଦି ଚୋରି ହୋଇଯାଇଛି। ଏହାପରେ ସେ ପ୍ଲାଣ୍ଟସାଇଟ୍ ଥାନାରେ ଘଟଣା ବିଷୟରେ ଏକ ଅଭିଯୋଗ କରିଥିଲେ। ପ୍ଲାଣ୍ଟସାଇଟ୍ ପିଏସ୍ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚୋରି ମାମଲାକୁ ସଫଳତାର ସହ ଚିହ୍ନଟ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଭିଯୁକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ସୌରଭ ଘୋଷ, ସୁନୀଲ ସା ଓରଫ୍ ତୁଲୁ, ସୁରଜ କିଶନ, ମନୋଜ କିଣ୍ଡୋ, ଦୀପକ ବରୱା ଏବଂ ରୋହିତ କିଣ୍ଡୋଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ଗିରଫ ଅଭିଯୁକ୍ତମାନେ ହେଲେ ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଗୋପାବନ୍ଧୁପାଲ୍ଲୀର ସୌରଭ ଘୋଷ (୧୯), ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଗୋପବନ୍ଧୁପାଲ୍ଲିର ଏବଂ ବର୍ତ୍ତମାନ ଛେଣ୍ଡର ଧାମରା ବସ୍ତିରେ ରହୁଥିବା ସୁନୀଲ ସାଓ ଓରଫ୍ ଟୁଲୁ (୨୪), ବ୍ରାହ୍ମଣୀତରଙ୍ଗ ଥାନା ଅଧିନସ୍ଥ ବେଲଡିହିର ସୂରଜ କିଶାନ (୨୫), ବ୍ରାହ୍ମଣୀତରଙ୍ଗ ଥାନା ଅଧିନସ୍ଥ କାଲୋକୁଦର ଉପର ବସ୍ତିର ମନୋଜ କିଣ୍ଡୋ (୩୪), ରାଜଗାଙ୍ଗପୁର ଥାନା ଅଧିନସ୍ଥ ଲୋହରପଡାର ଦୀପକ ବରଓ୍ବା (୨୪) ଏବଂ ବ୍ରାହ୍ମଣୀତରଙ୍ଗ ଥାନା ଅଧିନସ୍ଥ କାଲୋକୁଦର ଉପର ବସ୍ତିର ରୋହିତ କିଣ୍ଡୋ (୨୭) ।
ଅଭିଯୁକ୍ତଙ୍କ ନିକଟରୁ ୧୮ଟି ଆହୁଜା ଏମ୍ପ୍ଲିଫାଏର, ୨ଟି ସ୍ଟାବିଲାଇଜର, ଗୋଟିଏ ଅଡିଓ ଷ୍ଟୁଡିଓ, ଗୋଟିଏ ବୋଟ ବକ୍ସ, ଗୋଟିଏ କର୍ଡଲେସ୍ ମାଇକ୍ରୋଫୋନ୍, ୩ଟି ଆହୁଜା ସ୍ପିକର, ୩ଟି ଆହୁଜା ପିଏ ଏମ୍ପ୍ଲି ବକ୍ସ, ଗୋଟିଏ ଆହୁଜା ପିଏ ସ୍ପିକର, ଗୋଟିଏ ବିଟା ଏମ୍ପ୍ଲିଫାୟାର, ୨ଟି ରିପୋର୍ଟର ଆହୁଜା ମାଇକ୍ରୋଫୋନ୍, ଗୋଟିଏ ଆହୁଜା ଅଡିଓ ମିକ୍ସଚର, ୪ଟି ଅଡିଓ ରୋବୋ ଏଲ୍ଇଡି ଲାଇଟ୍ ସମେତ ଗୋଟିଏ ମହିନ୍ଦ୍ରା ପିକ୍ ଅପ୍ ଗାଡି (ଓଡି ୧୪ଜେ ୮୪୫୩) ଏବଂ ଗୋଟିଏ ପାସେଞ୍ଜର ଅଟୋ (ଓଡି ୧୪ଏକ୍ସ ୮୦୫୬) ଜବତ୍ କରାଯାଇଛି।
ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ କୌଣସି ମାମଲା ଅଛିକି ନାହିଁ ଯାଞ୍ଚ ଜାରି ରହିଛି। ସମସ୍ତ ଅଭିଯୁକ୍ତଙ୍କୁ ବିଏନ୍ଏସ୍ ଧାରା ୩୩୧(୪)/୩୦୫(ଏ)/୩(୫)ରେ ଗିରଫ କରାଯାଇ ପ୍ଲାଣ୍ଟସାଇଟ୍ ଥାନା ମାମଲା ନମ୍ବର ୪୯, ତାରିଖ ୧୨-୧-୨୦୨୬ରେ କୋର୍ଟକୁ ଚାଲାଣ କରାଯାଇଛି।
