ରାଉରକେଲା ୧୪/୧,(ଉତ୍କଳ ସମାଚାର) ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଡିଶାର ଦ୍ବିତୀୟ ସ୍ମାର୍ଟ ସହର ରାଉରକେଲାର ଛେଣ୍ଡ ମଧୁସୂଦନ ନଗରରେ ଅବସ୍ଥିତ ଧାମରା ସଂଘର ୩୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ବକ୍ତା ଭାବରେ ସାହିତ୍ୟିକ ଡକ୍ଟର ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀୟ ଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଧାମରା ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରା, ଧାମରା ସଂଘର ସମ୍ପାଦକ ଅକ୍ଷୟ କୁମାର ଦାସ, ସାଧାରଣ ସମ୍ପାଦକ ଭଗବାନ ରାଉତ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରାଯିବା ସହିତ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ସାଧାରଣ ସମ୍ପାଦକ ଭଗବାନ ରାଉତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହ ଧାମରା ସଂଘ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ଯ ବକ୍ତା ଡକ୍ଟର ସଂଗ୍ରାମ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ଭଦ୍ରକର ଗୁଣଗାନ କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ନିବିଡ ବୋଲି ବର୍ଣ୍ଣନା କରିଥିଲେ। ବ୍ରିଟିଶ ଶାସନ ସମୟରେ ଇରମ ଗୁଳିକାଣ୍ଡରେ ଭଦ୍ରକ ମାଟିର ୨୯ ଜଣ ଶହୀଦ ହୋଇ ଓଡିଶା ମାଟିର ଜଗନ୍ନାଥଙ୍କ ମନ୍ଦିରକୁ ରକ୍ଷା କରିଥିଲେ ବୋଲି ଡକ୍ଟର ଆଚାର୍ଯ୍ୟ ପ୍ରକାଶ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଯେଉଁ ମହାପ୍ରସାଦ “କାନିକା” ଲାଗି କରାଯାଏ ତାହା କନିକା ରାଜାଙ୍କ ପ୍ରଦତ୍ତ ପ୍ରସାଦ ଅନୁସାରେ କରାଯାଇଛି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ହୋଇଥିବା ବେଳେ, ସ୍ବାଧିନ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭଦ୍ରକ ମାଟିର ହରେକୃଷ୍ଣ ମହତାବ ହୋଇଥିବାବେଳେ, ପାରାଦ୍ବୀପ ବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଭଦ୍ରକ ମାଟିର ପୁଅ ଡକ୍ଟର ହରେକୃଷ୍ଣ ମହତାବ। ସେହିପରି ଭଦ୍ରକ ମାଟିର ୧୦ ବର୍ଷର ପିଲା ବିଜୁଳି ଦାସ ଇଂରେଜଙ୍କ ଗୁଳିରେ ଓଡିଶାର ପ୍ରଥମ ଶହୀଦ ହୋଇଥିଲେ। ଅସ୍ପୃଶ୍ୟତା ଦୂରୀକରଣ ପାଇଁ ସରକାରଙ୍କ ପ୍ରୟାସ ଥିବା ସତ୍ତ୍ୱେ, ଭଦ୍ରକ ଜିଲ୍ଲାର ଧାମରା ଠାକୁରାଣୀଙ୍କ ପୂଜକ ଜଣେ ବିଧବା ଏବଂ କୈବର୍ତ୍ତ ହୋଇ ଏହି ଅସ୍ପୃଶ୍ୟତା ନିବାରଣର ଭୂମିକା ନିର୍ବାହ କରିଛନ୍ତି ବୋଲି ଡକ୍ଟର ସଂଗ୍ରାମ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ କହିଥିଲେ। ସ୍ବାଧୀନତା ଆନ୍ଦୋଳନ ପାଇଁ ଭଦ୍ରକ ମାଟିରୁ ୧୦,୩୬୫ ଜଣ ଲଢିଥିଲେ ବୋଲି ସେ ତଥ୍ୟ ରଖିବା ସହିତ ମହାତ୍ମା ଗାନ୍ଧୀ ଓଡିଶାର ଭଦ୍ରକ ଚରମ୍ପା ରେଳ ଷ୍ଟେସନରେ ପହଞ୍ଚିବା ବେଳେ ତାଙ୍କୁ ଦେଖିବା ପାଇଁ ଆବାଳବୃଦ୍ଧବନିତା ସେଠାରେ ପହଞ୍ଚିବା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଭଦ୍ରକକୁ ପ୍ରଶଂସା କରିଥିଲେ। ସେହିପରି ୧୯୩୭ରେ ସ୍ବାଧିନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ଜାତୀୟ ପତାକା ପ୍ରଥମେ ଆଣ୍ଡାମାନ ନିକୋବରରେ ଉଡାଇ ଥିଲାବେଳେ ଦ୍ବିତୀୟ ଜାତୀୟ ପତାକା ଓଡିଶାରେ ଉଡାଇଥିଲେ। ଡକ୍ଟର ହରେକୃଷ୍ଣ ମହତାବ ଏନ୍ଏଚ୍-୫ (ବର୍ତ୍ତମାନ ଏନ୍ଏଚ୍ – ୧୬)କୁ ଭଦ୍ରକ ଦେଇ ଯିବା ପାଇଁ ଦାବି କରିଥିଲେ। ପରିବର୍ତ୍ତନର ଧାରାକୁ ଆଣିବାରେ ଭଦ୍ରକ ମାଟିର ଅବଦାନ ବହୁତ ରହିଛି ବୋଲି ମୁଖ୍ୟ ବକ୍ତା ଡକ୍ଟର ସଂଗ୍ରାମ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ଦୃଢ ଦାବି ଉପସ୍ଥାପନ କରିଥିଲେ। ଡକ୍ଟର ଆଚାର୍ଯ୍ୟଙ୍କ ବକ୍ତବ୍ୟ ସହିତ ତାଳଦେଇ ମୁଖ୍ୟ ଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତାଙ୍କ ବକ୍ତବ୍ୟରେ ରାଉରକେଲାର ପରିବର୍ତ୍ତନ ଆଣିବା ପାଇଁ ଧାମରା ସଂଘ ପକ୍ଷରୁ ନେତୃତ୍ବ ନେଇ ରାଉରକେଲାର ବିକାଶ ପାଇଁ ଦାବି ହେବାକୁ ସେ ଆହ୍ବାନ ଦେଇଥିଲେ। ଧାମରା ସଂଘ ପକ୍ଷରୁ ଏ ବର୍ଷର ସ୍ମରଣିକା “ଧାମରା”କୁ ଉନ୍ମୋଚନ କରିଥିଲେ ଉପସ୍ଥିତ ଅତିଥିମାନେ। ଏଥିସହିତ ବିଭିନ୍ନ ପରୀକ୍ଷାରେ କୃତିତ୍ଵର ସହ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉପଢୌକନ, ପୁଷ୍ପଗୁଛ ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

