ରାଉରକେଲା ୧୭/୧,(ଉତ୍କଳ ସମାଚାର) ବିରମିତ୍ରପୁର ସ୍ଥିତ ଶ୍ରମଶକ୍ତି ମହାବିଦ୍ୟାଳୟରେ ନାରୀ ସୁରକ୍ଷା ସମ୍ପର୍କୀତ ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିରମିତ୍ରପୁର ବନ ବିଭାଗର ବନାଞ୍ଚଳ ଅଧିକାରୀ ସୁଦେଷ୍ଣା ଶୁଭଦର୍ଶିନୀ ଅତିଥି ଭାବେ ଯୋଗଦେଇ ମହିଳା ସୁରକ୍ଷା, ଆତ୍ମରକ୍ଷା କୌଶଳ ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ସଚେତନତା ତଥା ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରୀମାନେ ଯୋଗଦେଇ ଏହି କୌଶଳକୁ ଆପଣାଇବା ପାଇଁ ଆହ୍ବାନ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ସିଂ ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଆତ୍ମରକ୍ଷା ପ୍ରଶିକ୍ଷଣର ପରିଚାଳିକା ଦାୟିତ୍ଵ ନିର୍ବାହ କରୁଥିବା ଅଧ୍ୟାପିକା ରେଣୁ ଅଞ୍ଜଳି କିରୋ। ଏହି ଅବସରରେ ଛାତ୍ରୀ ଆଶା ମାଝିଙ୍କୁ ପ୍ରଶିକ୍ଷକ ଭାବେ ଘୋଷଣା କରାଯାଇଥିଲା। ଶେଷରେ ଅଧ୍ୟାପିକା ସୁପ୍ରଭା ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ।

