ରାଉରକେଲା ୧୭/୧,(ଉତ୍କଳ ସମାଚାର) ସରକାରୀ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ଘରୋଇ ଲୋକଙ୍କ ଦ୍ୱାରା କରାଯାଉଥିବା ସହ ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ପ୍ରକଳ୍ପ ଅଧିକାରୀ କାର୍ଯ୍ଯାଳୟରେ ଠିକ୍ ସମୟରେ ପହଞ୍ଚି ନଥିବା ଯୋଗୁଁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଖପ୍ପା ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ଗୁରୁବାର ଦିନ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡି.ଏ.), ପାନପୋଷ କାର୍ଯ୍ଯାଳୟରେ ପହଞ୍ଚିଥିଲେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ । ଆଇ.ଟି.ଡି.ଏ. କାର୍ଯ୍ଯାଳୟରେ ପହଞ୍ଚି ବିଧାୟକ ଦୁର୍ଗା ଚରଣ ତନ୍ତୀ ଦେଖିଥିଲେ ଯେ, କାର୍ଯ୍ଯାଳୟରେ ପ୍ରକଳ୍ପ ଅଧିକାରୀ ପହଞ୍ଚି ନାହାଁନ୍ତି ଏବଂ ତାଙ୍କ କାର୍ଯ୍ୟାଳୟରେ କିଛି ବାହାରର ଲୋକ ପଶି ସରକାରୀ କାଗଜପତ୍ରରେ କାର୍ଯ୍ୟ କରୁଥିବା ଅବଗତ ହୋଇଥିଲେ। ଏଥିରେ ବିଧାୟକ ଶ୍ରୀ ତନ୍ତୀ ବିରକ୍ତି ପ୍ରକାଶ କରିବା ସହ ପ୍ରକଳ୍ପ ଅଧିକାରୀଙ୍କୁ ନିଜ ମୋବାଇଲରେ ଫୋନ୍ କରିଥିଲେ। ଆଇ.ଟି.ଡି.ଏ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ କିସପଟ୍ଟା ନିଜ ଘରେ ଥାଇ ବିଧାୟକଙ୍କ ଫୋନ୍ କଲ୍ ଉଠାଇ କହିଥିଲେ ଯେ, କାର୍ଯ୍ଯାଳୟରେ କର୍ମଚାରୀ ନଥିବା ଯୋଗୁଁ, ସେ ରାତି ପର୍ଯ୍ୟନ୍ତ ଫାଇଲ କାର୍ଯ୍ଯ କରୁଥିବା ଯୋଗୁଁ ବିଳମ୍ବ ହୋଇଗଲା। ବିଧାୟକ ଶ୍ରୀ ତନ୍ତୀ ତାଙ୍କୁ ପଚାରିଥିଲେ ଯେ, ଅଫିସରେ ବାହାର ଲୋକ ପଶି କଣ ସରକାରୀ କାର୍ଯ୍ୟ କରୁଛନ୍ତି। ଆଇ.ଟି.ଡି.ଏ ଅଧିକାରୀ ଶ୍ରୀମତୀ କିସପଟ୍ଟା ଏହାର ଉତ୍ତରରେ କହିଥିଲେ ଯେ କିଛି ବିଲ୍ ବାକି ରହିଥିଲା, ତେଣୁ କେତକ ଲୋକଙ୍କୁ ଡାକି ସେ କାର୍ଯ୍ଯ କରାଉଛନ୍ତି। ବିଧାୟକ ଶ୍ରୀ ତନ୍ତୀ କହିଥିଲେ ଯେ ଏ ବିଷୟରେ କଲେକ୍ଟରଙ୍କ ନିକଟରୁ ସରକାରୀ କାର୍ଯ୍ୟ, ବାହାର ଲୋକ କରିବା ପାଇଁ ପରମିସନ୍ ନେଇଥିଲ। ଆଇ.ଟି.ଡି.ଏ ଅଧିକାରୀ ଏ ବିଷୟରେ କୌଣସି ସଠିକ ଉତ୍ତର ଦେଇପାରିନଥିଲେ। ରଘୁନାଥପାଲ୍ଲୀ ବିଧାୟକଙ୍କ ଅଚାନକ ପରିଦର୍ଶନ ଯୋଗୁଁ ଆଇ.ଟି.ଡି.ଏ. ପାନପୋଷର ବାସ୍ତବ ଚିତ୍ର ପ୍ରକାଶ ପାଇବା ସହିତ ସରକାରୀ କାର୍ଯ୍ୟାଳୟରେ, ସରକାରୀ କାର୍ଯ୍ୟ କିପରି ଚାଲିଛି ତାହାର ଏକ ବାସ୍ତବ ଚିତ୍ର ସହିତ କାର୍ଯ୍ଯାଳୟରେ କର୍ମଚାରୀଙ୍କ ଅଭାବ ଏବଂ ବାହାର ଲୋକଙ୍କ ପ୍ରବେଶ ଜଣାପଡିଛି। ଏହାଦ୍ବାରା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଲୋକଙ୍କ ବିକାଶ କିପରି ହୋଇପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

