ରାଇଘର. ନରସିଂବାଘ(ଉତ୍କଳ ସମାଚାର), ତା. ୧୭.୦୧:ଆଜି ରାଇଘର ବ୍ଲକ ସଦର ମହକୁମାର ବୈଠକ ଗୃହ ଠାରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠି ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝଙ୍କାର ଯୋଗ ଦେଇଥିଲେ।ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଭାବେ ବାଲ୍ୟ ବିବାହ ନିରୋଧ କୁ ଗୁରୁତ୍ୱ ଦିଆଯାଇଥିଲା। ଅବୟସ୍କ ବିବାହ ରୋକିବା ପାଇଁ ଗ୍ରାମ ସ୍ତରରେ ସଚେତନତା, ସ୍କୁଲ୍, ଆଙ୍ଗନବାଡି, ସ୍ୱୟଂସାହାୟକ ଗୋଷ୍ଠୀ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାଲ୍ୟ ବିବାହ ଘଟଣା ଘଟିଲେ ତତ୍କାଳ ଜଣାଇବା ଓ କଠୋର କାନୁନିକ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।ଅନ୍ୟ ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା, ସମସ୍ତ ସମିତି ସଭ୍ୟ/ସଭ୍ୟା, ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ସହ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ — ତହସିଲଦାର, ସ୍ୱାସ୍ଥ୍ୟ, ଶିକ୍ଷା, ପଶୁଚିକିତ୍ସା, କୃଷି, ଉଦ୍ୟାନ, ଜଳସେଚନ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ବନ ବିଭାଗ, ଆଇସିଡିଏସ୍, ଯୋଗାଣ, ମତ୍ସ୍ୟ ଆଦି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ଜିପିଓ ପ୍ରଥମେ ପୂର୍ବ ବୈଠକର ବିବରଣୀ ପଠନ କରି ସଭାକାର୍ଯ୍ୟକୁ ଆଗେଇ ନେଇଥିଲେ। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶିକ୍ଷା ଅଧିକାର ଆଇନ, ଖାଦ୍ୟ ଓ ଯୋଗାଣ, କୃଷି, ଉଦ୍ୟାନ ଓ ଜଳ ବିଭାଜିକା ସହ ଉନ୍ନୟନମୂଳକ କାର୍ଯ୍ୟ ଉପରେ ପ୍ରାଞ୍ଜଳ ଆଲୋଚନା କରାଯାଇଥିଲା।ଶେଷରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସମ୍ପୃକ୍ତ ଅଧିକାରୀ, ସରପଞ୍ଚ ଓ କାର୍ଯ୍ୟାନ୍ୱୟନକାରୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସମସ୍ତ ଯୋଜନା ସମୟସୀମା ମଧ୍ୟରେ ସଠିକ ଭାବେ କାର୍ଯ୍ୟାନ୍ୱୟନ କରାଯାଉ ଓ ବାଲ୍ୟ ବିବାହ ରୋକିବାକୁ କୌଣସି ପ୍ରକାର ଅବହେଳା ହେବ ନାହିଁ। ଅବହେଳା କିମ୍ବା ବିଳମ୍ବ ପ୍ରମାଣିତ ହେଲେ ସମ୍ପୃକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
