ସୁନ୍ଦରଗଡ ୨୦/୧,(ଉତ୍କଳ ସମାଚାର) ସୁନ୍ଦରଗଡ ଟାଉନ୍ ଥାନା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟସ୍ଥ କୁନାଲ ଟ୍ରାନ୍ସପୋର୍ଟ ଅଫିସ ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ସୁନ୍ଦରଗଡ ମ୍ୟୁନିସିପାଲଟିର ସଫେଇ କାର୍ଯ୍ଯରେ ନିୟୋଜିତ ଟ୍ରାକ୍ଟର ଟ୍ରଲି ମାଡି ଯିବାରୁ ଜଣେ ୨ ବର୍ଷ ଶିଶୁର ମୃତ୍ଯୁ ଘଟିଛି। ସୂଚନା ଅନୁସାରେ ନିଜ ବାପାଙ୍କ ସହିତ ୨ ବର୍ଷର ଶିଶୁ ସ୍କୁଟରରେ ଯାଉଥିବା ବେଳେ ଅନ୍ୟ ଏକ ବାଇକ୍ ସହିତ ଧକ୍କା ହେବାରୁ ଭାରସାମ୍ୟ ହରାଇ ଶିଶୁଟି ସ୍କୁଟରରୁ ତଳକୁ ପଡିଯାଇଥିଲା। ସେହି ସମୟରେ ପଛ ପଟୁ ଆସୁଥିବା ପୌରପାଳିକାର ସଫେଇ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ଟ୍ରଲିଟି ଶିଶୁ ଉପରେ ଚଢି ଯାଇଥିଲା । ଶିଶୁକୁ ଆହତ ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଟ୍ରାକ୍ଟରକୁ ପୌର ପାଳିକାର ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଜଣା ପଡ଼ିଛି । ଟ୍ରାକ୍ଟରର ଚାଳକ ମଦ ପିଇ ଥିବା ବେଳେ ଗାଡ଼ିର ବୀମା ନଥିବା ଜଣାପଡିଛି । ପୋଲିସ୍ ଘଟଣାର ତଦନ୍ତ କରୁଛି।

