ରାଉରକେଲା ୨୦/୧,(ଉତ୍କଳ ସମାଚାର) ଭୁବନେଶ୍ବର ବିମାନ ବନ୍ଦରରୁ ୪ ଜଣ ଯାତ୍ରୀ ଏବଂ ୨ ଜଣ ବିମାନର ପାଇଲଟଙ୍କୁ ନେଇ ରାଉରକେଲା ଆସୁଥିବା ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ବାନ୍ ଚାର୍ଟର ବିମାନ, ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଜଲଦା ନିକଟବର୍ତ୍ତୀ କଂସର ଠାରେ ଖୋଲା ସ୍ଥାନରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ଥିବା ୬ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ମୁମ୍ବାଇକୁ ଅଧିକ ଚିକିତ୍ସା ପାଇଁ ଯାଇଥିବା ବେଳେ ଅନ୍ଯଜଣେ ବିମାନ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ହସ୍ପିଟାଲରୁ ରିଲିଜ୍ ହୋଇଛନ୍ତି ଦୁର୍ଘଟଣା ଗ୍ରସ୍ତ ବିମାନର ପାଇଲଟ ନବୀନ କାଡଙ୍ଗା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ଜିଲ୍ଲା ପ୍ରଶାସନ ଏନେଇ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ହସ୍ପିଟାଲରୁ ରିଲିଭ୍ ହେଲା ପରେ ବିମାନର ପାଇଲଟ୍ ନବୀନ କାଡଙ୍ଗା ହସ୍ପିଟାଲର ଚିକିତ୍ସାକୁ ହୁତ ପ୍ରଶଂସା କରିଥିବା ବେଳେ, ବିମାନ ଦୁର୍ଘଟଣା ବିଷୟରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ବିମାନ ଦୁର୍ଘଟଣା ଯାଞ୍ଚ ପରିସରଭୁକ୍ତ ଥିବାରୁ, ସେ ବିଷୟରେ କୌଣସି ତଥ୍ୟ ଦେବାକୁ ସେ କରିଥିଲେ। ଆହତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆହତଙ୍କ ଚିକିତ୍ସା ଏକ ଚ୍ୟାଲେଞ୍ଜ ଥିଲା। ପାଇଲଟଙ୍କ ସମେତ ‘ ସମସ୍ତେ ଗୁରୁତର ଥିଲେ। ବିମାନ ଦୁର୍ଘଟଣା ହେଲେ, ବିମାନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା କିପରି କରାଯାଏ ସେ ବିଷୟରେ କୌଣସି ଅଭିଜ୍ଞତା ନଥିବାରୁ ସେମାନେ ଏହାକୁ ଚ୍ଯାଲେଞ୍ଜ ଭାବରେ ନେଇ ଚିକିତ୍ସା ଆରମ୍ଭ କରିଥିଲେ ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ଆଜି ଜଣେ ପାଇଲଟ ଭଲ ହୋଇ ହସ୍ପିଟାଲ୍ ଛାଡ଼ିଲେ। ଅନ୍ୟ ପାଇଲଟ ଚିକିତ୍ସାଧୀନ ଅଛନ୍ତି। ସେ ଭଲ ଅଛନ୍ତି। ଖୁବ୍ ଶୀଘ୍ର ଡିସଚାର୍ଜ ହେବେ ବୋଲି କହିଥିଲେ ଜେ ପି ହସ୍ପିଟାଲର ଡାକ୍ତରମାନେ।

