ରାଉରକେଲା ୨୧/୧,(ଉତ୍କଳ ସମାଚାର) ସ୍ଥାନୀୟ ବାସଚ୍ୟୁତ ସଂଘ – ୭୦ ଗ୍ରାମର ବାସିନ୍ଦାମାନଙ୍କ ପକ୍ଷରୁ ବାସଚ୍ୟୁତ ବଢତି ପରିବାରର ସଦସ୍ୟଙ୍କୁ ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ବିଭାଗରେ ନିଯୁକ୍ତି ଦେବାକୁ ନେଇ ଏକ ଦାବିପତ୍ର ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ୨୦୧୩ ଫେବୃୟାରୀ ୧ ତାରିଖରେ ପଞ୍ଚମ ଆରପିଡିଏସି ବୈଠକରେ ବିସ୍ଥାପିତ ବଢତି ପରିବାରର ସଦସ୍ୟଙ୍କୁ ୩ ମାସ ମଧ୍ୟରେ ନିଯୁକ୍ତି ଦେବାକୁ ପ୍ରସ୍ତାବ ଗୃହିତ ହୋଇଥିଲା। କିନ୍ତୁ ଦୀର୍ଘ ୬ ବର୍ଷ ବିତିଗଲା ପରେ ମଧ୍ୟ କାହାରି ଚାକିରୀ ହୋଇନଥିଲା। ସାଢେ ୬ ବର୍ଷ ବିତିଗଲା ପରେ ୨୦୧୯ ଡିସେମ୍ବର ୨୧ ତାରିଖର ଷଷ୍ଠ ଆରପିଡିଏସି ବୈଠକ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ଆରପିଡିଏସି ବୈଠକରେ ୧୦୯୮ ଜଣଙ୍କୁ ଯଥାଶୀଘ୍ର ସେଲ୍ ବୋର୍ଡରେ ପ୍ରସ୍ତାବ ପାରିତ କରି ନିଯୁକ୍ତି ଦେବା ପାଇଁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଭିତ୍ତିକରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏକ ଚିଠି ସଂଖ୍ୟା ୩୯୭୬, ୨୦୨୦ ଡିସେମ୍ବର ୧୨ ତାରିଖରେ ଇସ୍ପାତ କାରଖାନା କର୍ତୃପକ୍ଷଙ୍କୁ ଷଷ୍ଠ ଆରପିଡିଏସି ବୈଠକରେ ପାରିତ ହୋଇଥିବା ପ୍ରସ୍ତାବକୁ କାର୍ଯ୍ଯକାରୀ କରିବା ପାଇଁ ଦେଇଥିଲେ। କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ଯକାରୀ ନହୋଇଥିବା ଦୃଷ୍ଟିରୁ ଆଜି ରାଉରକେଲା ସ୍ଥାନୀୟ ବିସ୍ଥାପିତ ସଂଘ – ୭୦ ଗ୍ରାମର ବାସିନ୍ଦାମାନଙ୍କ ପକ୍ଷରୁ ଖାରା କୁଜୁରଙ୍କ ନେତୃତ୍ବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ସପ୍ତମ ଆରପିଡିଏସି ବୈଠକ ଆୟୋଜନ କରିବାକୁ ଦାବି କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ରାଉରକେଲା ସ୍ଥାନୀୟ ବିସ୍ଥାପିତ ସଂଘ – ୭୦ ଗ୍ରାମର ସଭାପତି ଖାରା କୁଜୁର, ସାଧାରଣ ସମ୍ପାଦକ ପୁଟନ ଖାଲକୋ, ସହ-ସମ୍ପାଦକ ଜୁଗିଆ କୁଜୁର, ଉପଦେଷ୍ଟା ବସନ୍ତ କିସାନ, ଅନିଲ ଲାକ୍ରା, ତିଳ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲା ସ୍ଥାନୀୟ ବିସ୍ଥାପିତ ସଂଘ – ୭୦ ଗ୍ରାମର ସଭାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିସ୍ଥାପିତ ସଂଘର ଦାବି ନେଇ ସେମାନେ ଦୀର୍ଘ ଦିନରୁ ଦାବି କରିଆସୁଥିଲେ ମଧ୍ଯ ଏବଂ ଦୁଇଟି ଆରପିଡିଏସି ବୈଠକରେ ନିଷ୍ପତ୍ତି କରାଯାଇଥିଲେ ମଧ୍ୟ, ରାଉରକେଲା ଇସ୍ପାତ କାରଖାନାରେ ବିସ୍ଥାପିତ ବଢତି ପରିବାରର ସଦସ୍ଯଙ୍କୁ ନିଯୁକ୍ତି ଦିଆଯାଇନାହିଁ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଜିର ଦାବିପତ୍ର ପାଇବା ପରେ ଏକ ସପ୍ତାହ ମଧ୍ୟରେ ଆରପିଡିଏସି ବୈଠକ କେବେ ହେବ ସେ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଜଣାଇବେ ବୋଲି କହିଛନ୍ତି।

