ରାଉରକେଲା ୨୨/୧,(ଉତ୍କଳ ସମାଚାର) ଲାଠିକଟା ବ୍ଲକର ଲୁଙ୍ଗେଇ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୋଠାଘର ଅବସ୍ଥା ଅତି ଖରାପ ସ୍ଥିତିରେ ରହିଥିବାରୁ ଆମ ଆଦମୀ ପାର୍ଟି ତରଫରୁ ପାର୍ଟର କାର୍ଯ୍ୟକର୍ତ୍ତା, ଲୁଙ୍ଗେଇ ସରପଞ୍ଚ ଓ ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ଗତ ଜାନୁଆରୀ ୬ ତାରିଖ ଦିନ ସମଗ୍ର ସ୍କୁଲକୁ ନୂଆ କୋଠାଘର ନିର୍ମାଣ ହେବା ପର୍ଯ୍ୟନ୍ତ ବେଦବ୍ୟାସ ସ୍ଥିତ ସରକାରୀ ଏସ୍ କେ ଡି ଏ ଭି ହାଇସ୍କୁଲର କୋଠାଘରକୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ଏହି ସ୍କୁଲରେ ଥିବା ଅବ୍ୟବସ୍ଥା ଯୋଗୁଁ ପିଲାମାନେ ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ନୂତନ କୋଠାଘରରେ ପୁଅପିଲାଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ନାହିଁ। ଗୋଟିଏ କ୍ଲାସ ରୁମରେ ପ୍ରଥମରୁ ଷଷ୍ପ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ତଳେ ବସି ପାଠ ପଢୁଛନ୍ତି। ଅନ୍ୟ ଏକ କ୍ଲାସ ରୁମରେ ୭ମ ଓ ୮ମ ଶ୍ରେଣୀର ପିଲାମାନେ ପାଠ ପଢ଼ିବା ପାଇଁ ବାଧ୍ଯ ହେଉଛନ୍ତି। ପିଲାଙ୍କ ପାଇଁ ଟେବୁଲ ଓ ବେଞ୍ଚର ବ୍ୟବସ୍ଥା ମଧ୍ୟ ହୋଇ ନାହିଁ ଯାହା ଦ୍ବାରା (RTE) ରାଇଟ୍ ଟୁ ଏଡୁକେସନ୍ ଆଇନର ଖୋଲମଖୋଲା ଉଲ୍ଲଂଘନ କରାଯାଉଛି ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ପ୍ରକାଶ ଥାଉକି ପୁରୁଣା କୋଠାଘର ରାଷ୍ଟ୍ରୀୟ ରାଜମାର୍ଗ ଉପରେ ଆସୁଥିବାରୁ ନୂତନ କୋଠାଘର ନିର୍ମାଣ ବାବଦରେ ୨୦୨୩ ମସିହାରେ ପ୍ରାୟ ୨୧ଲକ୍ଷ ଟଙ୍କା ରାଷ୍ଟ୍ରୀୟ ରାଜମାର୍ଗ ବିଭାଗ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। କିନ୍ତୁ ରାଜ୍ଯରେ ବିଜେପି ସରକାର ତରଫରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ପାଇଁ କୋଠାଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ଏବଂ ଏ ବାବଦରେ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇ ନାହିଁ ବୋଲି ଅଭିଯୋଗ କରାଯାଇଛି । ଛୋଟ ଛୋଟ ସ୍କୁଲ ପିଲାଙ୍କର ଏଭଳି ଗଭୀର ସମସ୍ଯାକୁ ନେଇ ଆମ ଆଦମୀ ପାର୍ଟିର ଲୋକସଭା ପ୍ରଭାରୀ ବିନୟ ତିୱାରୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଉରକେଲା ମହାନଗର ନିଗମ କମିଶନର ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ଥିତି ବିଷୟରେ ଅବଗତ କରାଇ ମାଟିର ଗୋଳିଆ ପାଣିର ନମୁନା ପ୍ରଦାନ କରିଥିଲେ। ଏହି ସମସ୍ୟାର ସମାଧାନ ତୁରନ୍ତ ନ କରାଗଲେ ଅନେକ ପିଲା ଗୋଳିଆ ପାଣି ପିଇ ବେମାର ହୋଇ ଯିବାର ସମ୍ଭାବନା ରହିଛି ବୋଲି ପାର୍ଟିର ଲୋକସଭା ସମ୍ପାଦକ ସତ୍ୟ କିଶୋର ମହାନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ମହୋଦୟାଙ୍କୁ ସାକ୍ଷାତ ବେଳେ କହିଥିଲେ। ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ବଳବନ୍ତ ବର୍ମା ମଧ୍ଯ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ କମିଶନରଙ୍କୁ ଅନୁରୋଧ କରିଥିଲେ। କମିଶନର ମହୋଦୟା ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରି ତୁରନ୍ତ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଶ୍ଵାସନା ଦେଇଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ପ୍ରେସ ବିବୃତିରେ ପ୍ରକାଶ କରାଯାଇଛି।

