ରାଉରକେଲା ୨୭/୧,(ଉତ୍କଳ ସମାଚାର)ଆଜି ରାଉରକେଲା ଖବରକାଗଜ ବିତରକ ସଂଘ ବା ହକର୍ସ ଆସୋସିଏସନ୍ (ସିଆଇଟିୟୁ) ପକ୍ଷରୁ ସେକ୍ଟର-୯ ସ୍ଥିତ ଲୁଗୁନ୍ ପାର୍କ ଠାରେ ବନ୍ଧୁମିଳନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଓ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ଯୋଗ ଦେଇଥିଲା ବେଳେ, ସମ୍ମାନୀୟ ଅତିଥି ଭାବେ ରାଉରକେଲା ହକର୍ସ ଆସୋସିଏସନର ସଭାପତି ତଥା ସିଆଇଟିୟୁ ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଅନ୍ଯାନ୍ଯ ସମ୍ମାନୀୟ ଅତିଥି ଭାବେ ହକର୍ସ ଆସୋସିଏସନର ସାଧାରଣ ସମ୍ପାଦକ ତଥା ସିଆଇଟିୟୁ ରାଜ୍ୟ ସମ୍ପାଦକ ବିମାନ ମାଇତି, ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାସ, ଚନ୍ଦ୍ରଭାନୁ ଦାସ, ବି.ପି. ମହାପାତ୍ର, ସିଆଇଟିୟୁ ଜିଲ୍ଲା ସମ୍ପାଦକ ରାଜକିଶୋର ପ୍ରଧାନ, ପ୍ରଭାତ ମହାନ୍ତି, ଅକ୍ଷୟ ରାଉତ, ପ୍ରଭାତ ମଲ୍ଲିକ, ଆର୍ତ୍ତତ୍ରାଣ ମହାପାତ୍ର, ସୁକାନ୍ତ ଖୁଣ୍ଟିଆ, ଲକ୍ଷ୍ମୀ ନାରାୟଣ ହୋତା, ସାମ୍ବାଦିକ ବିବେକ ଦାସ, ସଂଗ୍ରାମ ଭୂୟାଁ, ରାଉରକେଲା ହକର୍ସ ଆସୋସିଏସନ୍ କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ବେହେରା, ସହ-ସମ୍ପାଦକ କିଶୋର ରାଉତ, ସହ-କୋଷାଧ୍ୟକ୍ଷ ମିହିର ପାତ୍ର, ମନୋଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ଯ ଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଜିର ସମୟରେ ସମ୍ବାଦପତ୍ରର ଚାହିଦା କମିଯାଇଛି। ପ୍ରତିକୂଳ ପରିସ୍ଥିତିରେ ସମ୍ବାଦପତ୍ରର ଚାହିଦା ବଢାଇବା ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଅନୁକୂଳ ପରିସ୍ଥିତିରେ ସବୁ ସମ୍ଭବ, କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ସମ୍ବାଦପତ୍ରମାନ ନିଜର ଚାହିଦା ବୃଦ୍ଧି ପାଇଁ ବୃହତ୍ ସହରରେ ନିଜର ଶାଖା ଖୋଲିବା ସହିତ ପ୍ରଚାର ଓ ପ୍ରସାର ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହୋଇପଡିଛି। ସମ୍ବାଦ ଖବରକାଗଜ ଯେପରି ସମଗ୍ର ଓଡିଶାରେ ବ୍ରାଞ୍ଚ ଖୋଲି ଲୋକାଦୃତ ହୋଇଛି, ସେପରି ହେବା ଆବଶ୍ୟକ। ଖବରକାଗଜ ବିତରକଙ୍କ ସମସ୍ଯାକୁ ନେଇ ସେ ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରିବାକୁ ଏହି ବନ୍ଧୁମିଳନ ଓ ଆଲୋଚନାଚକ୍ରରେ କହିଥିଲେ। ହକର୍ସ ଆସୋସିଏସନ୍ ପରିବାର ତରଫରୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଉତ୍ତରୀୟ ପ୍ରଦାନ କରଯାଇ ସମ୍ବର୍ଦ୍ଧିତ କରାଯିବା ସହ ପ୍ରଗତିବାଦୀର ସାମ୍ବାଦିକ ସଂଗ୍ରାମ ଭୂୟାଁଙ୍କୁ ହକର୍ସ ଆସୋସିଏସନ ପାଇଁ ଥିବା ଅବଦାନ ପାଇଁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

