ରାଉରକେଲା:31//1,(ଉତ୍କଳ ସମାଚାର) ସ୍ବସ୍ତି ସାହିତ୍ୟ ସଂସଦ ରାଉରକେଲା ତରଫରୁ ସ୍ବତନ୍ତ୍ର ସାରସ୍ବତ ସଭା, ବନ୍ଧୁ ମିଳନ, ପୁସ୍ତକ ଅନାବରଣ ତଥା ଆଲୋଚନାଚକ୍ର ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ଓ କବି ତ୍ରିଲୋଚନ ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ରାଜୀବ ପାଣି ଙ୍କ ପ୍ରବନ୍ଧ ସଙ୍କଳନ ପ୍ରବନ୍ଧ ପ୍ରମୁର୍ତ୍ତ କୁ ଅତିଥି ମାନେ ଅନାବରଣ କରିଥିଲେ।ସ୍ବତନ୍ତ୍ର ଅତିଥି ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ, ପୁସ୍ତକର କବିତା ଗୁଡ଼ିକର ସମୀକ୍ଷକ ଭାବେ ଡ ଅଶ୍ବିନୀ କୁମାର ରାୟ ଓ ପ୍ରବନ୍ଧ ଗୁଡ଼ିକର ସମୀକ୍ଷକ ଭାବେ ଗାଳ୍ପିକା ମୋନାଲିସା ମିଶ୍ର ଯୋଗ ଦେଇ ଆଲୋଚନା କରିଥିଲେ। ସ୍ବତନ୍ତ୍ର ଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସର୍ଜନ ସୃଷ୍ଟି କରିନଥାଏ,ଅନ୍ୟକୁ ସେ ପ୍ରେରିତ କରିଥାଏ। କବି ଶ୍ରୀ ପାଣି ପୁସ୍ତକ ସମ୍ପର୍କରେ ମତ ରଖି କହିଲେ ଯେ ସାହିତ୍ୟ ଏକ ସାଧନା। ସଫଳତା ଚିରସ୍ଥାୟୀ ନୁହେଁ। ସାହିତ୍ୟ ମୋ ପାଇଁ ଅଳଙ୍କାର ନୁହେଁ ଆତ୍ମାର ଆଳାପ। ସବୁକିଛି ଧରି ରଖିବା ପାଇଁ ଜୀବନ ଖାଲି ଶିଖାଇନି ଛାଡିବା ବି ଶିଖାଇଛି। ଜୀବନ ହେଉଛି ନୀରବ ସୃଜନର ଯାତ୍ରା। ନୀରବତା କୁ ସହିବାଟା ଦାର୍ଶନିକତା । ସୁଖ ରଙ୍ଗ ଦିଏ, ଦୁଃଖ ଗଭିରତା ଦିଏ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଶିକ୍ଷାବିତ ଶର୍ମିଷ୍ଠା କବିଶତପଥୀ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କବି ରାଜୀବ ପାଣିଙ୍କ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ବହୁ ସାହିତ୍ୟିକ,କବି, ସଂଗଠକ,ବହୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପହାର ଓ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ।

