ସୁନ୍ଦରଗଡ଼ ୩/୨,(ଉତ୍କଳ ସମାଚାର) ଚଳିତ ଫେବୃଆରୀ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ଆୟୋଜିତ ହେବାକୁ ଯାଉଛି ଜିଲ୍ଲା ମହୋତ୍ସବ ଯତରା -୨୦୨୬। ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ାକ୍ତର ଶୁଭଙ୍କର ମହାପାତ୍ର ଯତରା ଆୟୋଜନ ଉପରେ ଆଲୋଚନା କରିଥିଲେ। ଯତରା ଅବସରରେ ସହର ମଧ୍ୟରେ ସୁନ୍ଦର ଆଲୋକିକରଣ ବ୍ୟବସ୍ଥା ମଧ୍ୟ କରାଯିବ। ଏକ ସ୍ବତନ୍ତ୍ର ମିନା ବଜାର ମଧ୍ୟ ଆୟୋଜିତ ହେବ। ସେହିଭଳି ସୁଭଦ୍ରା ଶକ୍ତି ମେଳା ମଧ୍ୟ ଆୟୋଜିତ ହେବ। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ତଥା ବିଭିନ୍ନ ଅଞ୍ଚଳମାନଙ୍କରୁ ସ୍ଵଂୟ ସହାୟକ ଗୋଷ୍ଠୀ ତଥା ଅନ୍ୟାନ୍ୟ ଉତ୍ପାଦକମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ମଧ୍ୟ ଉପଲବ୍ଧ ହେବ। ସେହିପରି ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲଗୁଡ଼ିକ ମଧ୍ୟ ରହିବ, ଯେଉଁଥିରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନଗୁଡ଼ିକ ଉପଲବ୍ଧ ହେବ। ସେହିଭଳି ଜିଲ୍ଲାପାଳ ଡ଼ାକ୍ତର ମହାପାତ୍ର ଏହି ପାଞ୍ଚ ଦିନିଆ ଜିଲ୍ଲା ମହୋତ୍ସବରେ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ରାର ପ୍ରଥମ ଦିନରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ, ଓଡ଼ିଶୀ ନୃତ୍ୟ ଏବଂ ଆସାମର ବିହୁ ନୃତ୍ୟ ରହିଛି। ତାରକା ରାତ୍ରିରେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ରୁକୁ ସୁନା, ଅନ୍ତରା ଚକ୍ରବର୍ତ୍ତୀ ଓ ବର୍ଣ୍ଣାଳୀ ହୋତାଙ୍କ କାର୍ଯ୍ୟକ୍ରମ ରହିଛି। ଯତରା-୨୦୨୬ର ଦ୍ୱିତୀୟ ଦିବସରେ ଆଦିବାସୀ ନୃତ୍ୟ, ଦୁରୁଆ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସ୍ଥାନୀୟ ସାର୍ଥକ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜସ୍ଥାନ ଦଳ ଦ୍ଵାରା ଘୁମର ଓ କାଲବେଲିଆ ନୃତ୍ୟ ପରିବେଷଣ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ତାରକା ରାତ୍ରି କାର୍ଯ୍ୟକ୍ରମରେ କଣ୍ଠ ଶିଳ୍ପୀ ଏମ ଡି ଦାନିସଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଯତରା ମହୋତ୍ସବର ତୃତୀୟ ଦିବସରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ବାଘ ନାଚ ଏବଂ ପଶ୍ଚିମ ବଙ୍ଗ ପୁରୁଲିଆର ଛଉ ନୃତ୍ୟ ରହିଛି। ତାରକା ରାତ୍ରିରେ ପ୍ରଖ୍ୟାତ ବଲିଉଡ୍ କଣ୍ଠ ଶିଳ୍ପୀ ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ରହିଛି। ଯତରା ମହୋତ୍ସବ-୨୦୨୬ର ଚତୁର୍ଥ ଦିନରେ କୋୟା ନୃତ୍ୟ, ଘୁଡୁକା ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସହିତ ପଞ୍ଜାବର ନୃତ୍ୟ ଦଳ ଦ୍ଵାରା ଭାଙ୍ଗଡା ନୃତ୍ୟ ମଧ୍ୟ ରହିଛି। ଏଥିସହିତ ବଲିଉଡ୍ କଣ୍ଠ ଶିଳ୍ପୀ ପଲକ୍ ମୁଛଲଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯତରା ମହୋତ୍ସବର ପଞ୍ଚମ ଦିନରେ ଓଡ଼ିଶୀ ନୃତ୍ୟ, କଥକ ନୃତ୍ୟ,ଘୁମୁରା ନୃତ୍ୟ ଏବଂ ମହାରାଷ୍ଟ୍ରର ଲାବନୀ ନୃତ୍ୟ ରହିଛି। ଏଥିସହିତ କଣ୍ଠ ଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଏଥିସହିତ କାର୍ଯ୍ୟକ୍ରମରେ ଓଲିଉଡ ଅଭିନେତା ସୈଲେନ୍ଦ୍ର ଏବଂ ଭୂମିକା, ସ୍ବରାଜ, ସୂର୍ଯ୍ୟମୟୀ, ଦିବ୍ୟା, କୁକିଜ୍ ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ସେହିଭଳି ପ୍ରତ୍ୟେକ ସନ୍ଧ୍ୟାରେ ବ୍ଲକ ସ୍ତର ଯତରା କାର୍ଯ୍ୟକ୍ରମର ଗୋଟିଏ ଲେଖାଏଁ ଦଳ ମଧ୍ୟ ଅଂଶ ଗ୍ରହଣ କରିବେ। ଏହା ସହିତ ଡ୍ରୋନ ସୋ, ସ୍ୟାଣ୍ଡ ଆନିମେସନ ଆଦି ମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସୁନ୍ଦରଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମଗୁଡିକୁ ଶାନ୍ତି ଶୃଙ୍ଖଳାର ସହ ସରସ ସୁନ୍ଦର ଭାବେ ଆୟୋଜନ କରିବା ନିମନ୍ତେ ଜିଲ୍ଲାପାଳ ଡ଼ାକ୍ତର ମହାପାତ୍ର ସମସ୍ତ ଜିଲ୍ଲାବାସୀଙ୍କର ସହଯୋଗ କାମନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୁରଜ୍ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ୍ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପି ଏ ଆଇ ଟି ଡି ଏ ଧୀରେନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

