ରାଉରକେଲା ୩/୨,(ଉତ୍କଳ ସମାଚାର) ଜିଲ୍ଲା ପୋଲିସ୍ ନିକଟରେ ଦକ୍ଷିଣ ଛୋଟନାଗ୍ରା ଡିଭିଜନର ମାଓ ସ୍ଥାନୀୟ ଗରିଲା ସ୍କ୍ବାର୍ଡ଼ ସଦସ୍ୟ (ଏଲଜିଏସ୍ଏମ୍) ଉମ୍ବଲେନ୍ ହୋନହାଗା ଓରଫ୍ ପ୍ରଭୁ (୧୮) ଆତ୍ମସମର୍ପଣ କରିଛି। ଏ ବିଷୟରେ ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ। ସୂଚନା ଅନୁସାରେ ରାଉରକେଲା ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓ ସ୍ଥାନୀୟ ଗରିଲା ସ୍କ୍ବାଡ୍ ସଦସ୍ୟ ଉମ୍ବଲେନ୍ ହୋନହାଗା ଓରଫ୍ ପ୍ରଭୁର ଘର ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗ୍ରା ଥାନା ଅନ୍ତର୍ଗତ ହାଲାମୁଲି ଗ୍ରାମରେ ବୋଲି ଜଣାପଡିଛି। ଏହି ଗ୍ରାମ ସରଣ୍ଡା ଆରଏଫ୍ ସଂରକ୍ଷିତ ଜଙ୍ଗଲରେ ଅବସ୍ଥିତ ଏବଂ ସିପିଆଇ (ମାଓବାଦୀ) ପାଇଁ ରାସନ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବସ୍ଥା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମ। ଉମ୍ବଲେନ୍ ହୋନହାଗା ଓରଫ୍ ପ୍ରଭୁ, ମାଓ ଦଳରେ ରହି ଏକ ମିଲିସିଆ ଭାବରେ କାମ କରିବା, ରାସନ ସାମଗ୍ରୀ ବ୍ୟବସ୍ଥା କରିବା ଏବଂ ଅଞ୍ଚଳରେ ଗରିଲା କାର୍ଯ୍ୟ ଦେଖିବା ଆରମ୍ଭ କରିଥିଲା। ପରେ ୨୦୨୪ ମସିହାରେ ବିର୍ସା ନାମକ ଜଣେ ମାଓ ଦଳୀୟ ସଦସ୍ୟ ହଲାମୁଲି ଗ୍ରାମକୁ ଆସିଥିଲେ ଏବଂ ପ୍ରଭୁଙ୍କୁ ଦଳରେ ଏଲଜିଏସ୍ଏମ୍ ବା ସ୍ଥାନୀୟ ଗରିଲା ସ୍କ୍ବାଡ୍ ସଦସ୍ୟ ଭାବରେ ନିଯୁକ୍ତି ଦେଇଥିଲେ। ପ୍ରଭୁ(୧୮ବର୍ଷ) ଦଳ ସହିତ ମୋଟ ୨ ବର୍ଷ ଧରି ରହିଥିଲେ। ବିଭିନ୍ନ ଉତ୍ସରୁ ଆତ୍ମସମର୍ପଣ ନୀତି ଦ୍ୱାରା ପ୍ରଭାବିତ ହୋଇ, ମାଓବାଦୀ ଚିନ୍ତାଧାରା, ବରିଷ୍ଠ ନେତାଙ୍କ ଶାରୀରିକ ଏବଂ ମାନସିକ ନିର୍ଯାତନା ଏବଂ ବାରମ୍ବାର କମ୍ବିଂ ଅପରେସନରେ ବିରକ୍ତ ହୋଇ, ପ୍ରଭୁ ଦଳ ଛାଡି ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ଗରିଲା ସ୍କ୍ବାଡ୍ ସଦସ୍ୟ ହୋଇଥିବା କାରଣରୁ କେନ୍ଦ୍ର ସରକାରଙ୍କ ବି-ବର୍ଗରେ ଆସୁଥିବା ଆତ୍ମସମର୍ପଣକାରୀଙ୍କୁ ମୋଟ ୨,୬୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବା ସହିତ ଯଦି ସେ ବିବାହିତ ନୁହଁନ୍ତି କିମ୍ବା ତାଙ୍କର କୌଣସି ଜୀବିତ ପତି କିମ୍ବା ପତ୍ନୀ ନାହାଁନ୍ତି, ତେବେ ତାଙ୍କ ବିବାହ ପାଇଁ କେବଳ ୨୫,୦୦୦ ଟଙ୍କା ଏକକାଳୀନ ବିବାହ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏହି ରାଶି ବିବାହ ସମୟରେ କିମ୍ବା ବିବାହ ପରେ ପ୍ରଦାନ କରାଯିବ ବୋଲି ନିୟମ ରହିଛି। ଏଥିସହିତ ଆତ୍ମସମର୍ପଣକାରୀଙ୍କୁ ପ୍ରଯୁଜ୍ୟ ଯୋଜନା ଅଧୀନରେ ଜିଲ୍ଲାର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସ୍ୱଳ୍ପକାଳୀନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ମାଗଣାରେ ନାମ ଲେଖାଯିବ। ଯୋଗ୍ୟତା ଉପରେ ନିର୍ଭର କରି, ସେ ବୃତ୍ତିଗତ ଶିକ୍ଷା ମଧ୍ୟ ଗ୍ରହଣ କରିପାରିବେ। ସର୍ବାଧିକ ୩୬ ମାସ ପାଇଁ ପ୍ରତି ମାସରେ ୧୦ ହଜାର ଟଙ୍କା କେବଳ ବୃତ୍ତି ପ୍ରଦାନ କରାଯିବ। ସରକାରୀ ନିଯୁକ୍ତି, ଦକ୍ଷତା ତାଲିମ ପରେ ନିଯୁକ୍ତି କିମ୍ବା ଯେକୌଣସି ପ୍ରକାରର ଲାଭଦାୟକ ଆତ୍ମନିଯୁକ୍ତି ହାସଲ କରିବା ପରେ ଏହି ବୃତ୍ତି ବନ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ନୀତି ଅନୁଯାୟୀ ଆତ୍ମସମର୍ପଣକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବା ସହ ନୀତିର ବ୍ୟବସ୍ଥା ଅନୁଯାୟୀ ଚିକିତ୍ସା ପାଇଁ ରାଜ୍ୟ ସରକାର ପ୍ରାଥମିକତାରେ ଗ୍ରହଣ କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଅନ୍ତ୍ୟୋଦୟ ଅନ୍ନ ଯୋଜନା କିମ୍ବା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଅନ୍ୟ କୌଣସି ସମାନ ନୀତି ଅଧୀନରେ ଯୋଗ୍ୟତା ଉପରେ ଧ୍ୟାନ ଦେଇ ମାଗଣା ରାସନ କିମ୍ବା ସବସିଡିଯୁକ୍ତ ରାସନ ପ୍ରଦାନ କରାଯିବ ବୋଲି ରାଉରକେଲା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

