ସୁନ୍ଦରଗଡ଼,4//2,(ଉତ୍କଳ ସମାଚାର): ଚଳିତ ଫେବୃଆରୀ ୮ ରୁ ୧୨ ତାରିଖ ଦିନ ସ୍ଥାନୀୟ ଯତରା ପଡ଼ିଆ ଠାରେ ଅନୁଷ୍ଠିତ ହେବ ଜିଲ୍ଲା ମହୋତ୍ସବ “ଯତରା -୨୦୨୬” । ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳି ଯତରାର ପ୍ରଥମ ଦିବସରେ ସହର ମଧ୍ୟରେ ଏକ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ମଶାଲ ଶୋଭାଯାତ୍ରା ଆୟୋଜିତ ହେବ। ଏହି ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ ନେଇ ସ୍ଥାନୀୟ ସଦଭାବନା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତି ଅନୁସାରେ ଫେବୃଆରୀ ୮ ତାରିଖ ଦିନ ସକାଳ ୭ ଟା ସମୟରେ ସମଲେଇ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ଏହି ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଆରମ୍ଭ ହେବ। ଏହି ଶୋଭାଯାତ୍ରା ଟି ସମଲେଇ ମନ୍ଦିର ରୁ ବାହାରି ଜଗନ୍ନାଥ ମନ୍ଦିର ଛକ, ବି ଏସ ହାଇସ୍କୁଲ ଛକ, ପଞ୍ଚମୁଖି ହନୁମାନ ମନ୍ଦିର ଛକ, ରାଉରକେଲା ଛକ , ପୁରୁଣା ବସଷ୍ଟାଣ୍ଡ ଛକ, ଡି ଆର ଡି ଏ ଛକ , ଅଟଳ ଛକ, ଟାଉନ ଥାନା ଛକ , ରଙ୍ଗାଢ଼ିପା ଛକ ଦେଇ ଯତରା ପଡ଼ିଆ ରେ ପହଞ୍ଚିବ। ଏହି ସମସ୍ତ ଛକ ମାନଙ୍କରେ ସାଂସ୍କୃତିକ ଶୋଭାଯାତ୍ରା କୁ ବିଭିନ୍ନ ଅନୁଷ୍ଠାନ, ପୂଜା କାମଟି, ସଂଗଠନ ମାନଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ୍ ରୁ ସାଂସ୍କୃତିକ ଦଳ ଏବଂ ଅନ୍ୟାନ୍ୟ ସାଂସ୍କୃତିକ ଦଳ ଗୁଡିକ ଯୋଗ ଦେବେ। ଏହି ଅବସରରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଏବଂ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କମିଟି, ସଂଗଠନ ତଥା ସମସ୍ତ ଜିଲ୍ଲାବାସୀ ମାନଙ୍କର ସହଯୋଗ କାମନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ପି ଏ ଆଇ ଟି ଡି ଏ ଶ୍ରୀ ଧୀରେନ୍ଦ୍ର ସେଠୀ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ,ବିଭିନ୍ନ ପୂଜା କମିଟି, ବିଭିନ୍ନ ସମାଜ, ବିଭିନ୍ନ ସଂଘ, ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନିଜର ବହୁ ମୂଲ୍ୟ ମତାମତ ପ୍ରଦାନ କରିଥିଲେ।

