ରାଉରକେଲା ୪/୨,(ଉତ୍କଳ ସମାଚାର) ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ମୂଳ ରୂପରେ ଫେରାଇ ଆଣିବା ପାଇଁ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।ୟୁପିଏ ସରକାରଙ୍କ ପକ୍ଷରୁ ୨୦୦୫ରେ ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତ ଆଇନ (MGNREGA) ଏକ ଅଧିକାର-ଆଧାରିତ ଆଇନ ।ଏହା ପ୍ରତିବର୍ଷ ୫ରୁ ୬କୋଟି ଗ୍ରାମୀଣ ପରିବାରକୁ ମଜୁରୀ ଭିତ୍ତିକ ରୋଜଗାର ଦାବି କରିବାର ଆଇନଗତ ଅଧିକାର ଦେଇଆସିଥିଲା। ଏଥିରେ ହିତାଧିକାରୀଙ୍କ ଦାବି ପରେ ୧୫ ଦିନ ମଧ୍ୟରେ ଜୀବିକା ଯୋଗାଇବା ରାଜ୍ୟର ଆଇନଗତ କର୍ତ୍ତବ୍ୟ ଥିଲା। ଜୀବିକା ଯୋଗାଇବାରେ ବିଫଳ ହେଲେ ସରକାରଙ୍କୁ ବେରୋଜଗାର ଭତ୍ତା ଦେବାକୁ ପଡ଼ୁଥିଲା। ଏହି ଯୋଜନା ଅଧୀନରେ ଗ୍ରାମୀଣ ମଜୁରୀ ବଢିଛି ଏବଂ ସମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଆସିଥିଲା। ଏହାର ଚାହିଦା ଭିତ୍ତିକ ରୂପରେଖ, ନିଶ୍ଚିତ ମଜୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା, ବିଶେଷକରି ମହିଳା, ଦଳିତ, ଆଦିବାସୀ ଓ ପ୍ରାନ୍ତବର୍ତ୍ତୀ ସମୁଦାୟଙ୍କୁ ଲାଭାନ୍ବିତ କରିଥିଲା। ଏହି ଯୋଜନା ଅଧୀନରେ ସମୁଦାୟ କାର୍ଯ୍ୟଦିନର ପ୍ରାୟ ୬୦% ମହିଳାମାନଙ୍କର ରହିଆସିଥିଲା। କେନ୍ଦ୍ର ସରକାରଙ୍କ ଦ୍ବାରା ନୂତନ VB-GRAM-G ଯୋଜନା ଏହି ଆଇନ ଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ, ଏହା କାମର ଆଇନଗତ ନିଶ୍ଚିତତାକୁ ହଟାଉଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିକୁ କେନ୍ଦ୍ରୀଭୂତ କରୁଛି। ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରିବା ସହିତ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ ୯୦ ପ୍ରତିଶତରୁ ୬୦ ପ୍ରତିଶତ କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦି ଦେବ। କୃଷି ଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମଧନ୍ଦା ନ ମିଳିବାର ଆଶଂକାକୁ ସ୍ପଷ୍ଟ କରୁଛି। ମଜୁରୀ ସୁରକ୍ଷାର ଶିଥିଳତା ଯୋଗୁଁ, ରୋଜଗାର କମିବା ଥୟ। ମଜୁରୀ କମିଲେ ଗ୍ରାମୀଣ ଦୁଃଖ ବଢ଼ିବା ନିଶ୍ଚିତ। ଯୋଜନାରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ୱାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି । ଗ୍ରାମ୍ୟ ସ୍ବୟଂଶାସନ ପାଣିଚିଆ ହେବା ସହ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ମୂଲ୍ୟବୋଧକୁ ଶିଥିଳ କରିବାର ଏହା ଏକ ଷଡ୍ଯନ୍ତ୍ର ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଗ୍ରାମୀଣ ଜୀବିକା ଉପରେ ଏହି ଆକ୍ରମଣର ଗମ୍ଭୀରତାକୁ ଧ୍ୟାନରେ ରଖି, କଂଗ୍ରେସ ପକ୍ଷରୁ MGNREGA ବଞ୍ଚାଅ ସଂଗ୍ରାମ କରିବା ଏବଂ MGNREGAର ମୂଳ ଅଧିକାର-ଆଧାରିତ ରୂପରେ ଫେରିପାଇବା ଏହି ନୁଆ ଆଇନ କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି ଓ ମେହନତି ଲୋକଙ୍କର ପେଟରେ ଲାତ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଗରିବମାନଙ୍କର କାମ ମାଗିବାର ଅଧିକାରକୁ ଛଡ଼େଇ ନିଆଯାଇଛି। ତଫସିଲଭୁକ୍ତ ଜାତି, ଜନଜାତି ଏବଂ ଓବିସି ସମାଜର ମନରେଗା ଦାୟିତ୍ବରୁ କେନ୍ଦ୍ର ସରକାର ପଳାୟନ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ମନରେଗା ଆଇନରେ ଶ୍ରମିକ ମଜୁରୀର ସମ୍ପୂର୍ଣ୍ଣ ବଜେଟ୍ କେନ୍ଦ୍ର ସରକାର ଦେଉଥିଲେ ମଧ୍ୟ ନୂଆ ଆଇନରେ କେନ୍ଦ୍ର ସରକାର କେବଳ ୬୦ ପ୍ରତିଶତ ବଜେଟ୍ ଦେବେ ଏବଂ ୪୦ ପ୍ରତିଶତ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ। ଜିଏସ୍ଟି ଓ କେନ୍ଦ୍ରୀୟ ସେସ୍ ମାଧ୍ୟମରେ ପ୍ରତିବର୍ଷ ୫ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପରେ ଆଉ ରାଜ୍ୟମାନଙ୍କ ପାଖରେ ଟଙ୍କା ନାହିଁ। ରାଜ୍ୟ ଏହି ଯୋଜନାରେ ଟଙ୍କା ଦେଇପାରିବେ ନାହିଁ, ଶ୍ରମିକମାନେ ରୋଜଗାର ପାଇବେ ନାହିଁ । ମୁଣ୍ଡ ବିନ୍ଧିଲେ ମୁଣ୍ଡ କାଟ ପରି ଅବସ୍ଥା, ଶ୍ରମିକଙ୍କର କାମ ମାଗିବା ଅଧିକାର ଛଡ଼େଇ ନିଆଯାଉଛି। ମନରେଗା ଏକ ଦାବି ଭିତ୍ତିକ ଆଇନ। ଶ୍ରମିକ କାମ ମାଗିଲେ କାମ ଦେବାକୁ ପଡ଼ିବ। ନୂଆ ଆଇନରେ କେଉଁ ରାଜ୍ୟରେ, କେଉଁ ଅଞ୍ଚଳରେ, କେତେ ଦିନ କାମ ଦିଆଯିବ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ସମସ୍ତ ଅଧିକାର କେନ୍ଦ୍ର ପାଖରେ ରହିବ। ଶ୍ରମିକଙ୍କ ପାଖରେ ନୁହେଁ। କେନ୍ଦ୍ର ସରକାରଙ୍କ ଦୟାରେ ବଜେଟ୍ ହେବ। ମନରେଗାରେ ବଜେଟରେ କୌଣସି ସୀମା ନଥିଲା। ନୂଆ ଆଇନରେ କେନ୍ଦ୍ର ସରକାର ଯାହାକୁ ଚାହିଁବେ ଦେବେ, ଯାହାକୁ ଚାହିଁବେ ଦେବେନି। ମନମୁଖୀ ବାଣ୍ଟ, ନିଜ ଲୋକଙ୍କୁ ଲାଭ ମନରେଗାର ଗ୍ଯାରେଣ୍ଟି ବନାମ କେନ୍ଦ୍ର ପ୍ରାୟୋଜିତ ଯୋଜନା। ମନରେଗା ୧୦୦ ଦିନର କାମର ଆଇନଗତ ଗାରାଣ୍ଟି, ଯାହା ସଂବିଧାନର ଧାରା ୩୯(ଏ) ଓ ୪୧ର ପ୍ରତିଫଳନ । ନୂଆ ଆଇନରେ ଏହାକୁ କେବଳ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା କରାଯାଇଛି। ରୋଜଗାରର ଅଧିକାର ସମାପ୍ତ ବୋଲି ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଧାରଣା ଓ ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନ, ବୀରେନ୍ଦ୍ର ନାଥ ପଟ୍ଟନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ, ପ୍ରବୋଧ ଦାସ, ରଶ୍ମି ରଞ୍ଜନ ପାଢୀ, ବରିଷ୍ଠ ନେତା ରାମାନନ୍ଦ ଶ୍ରୀଚନ୍ଦନ, ଝରଣା ତ୍ରିପାଠୀ, କୀର୍ତ୍ତନ ଦାସ, ଉମେଶ ଚନ୍ଦ୍ର ଶରଣ, ପ୍ରଦ୍ଯୁମ୍ନ ଷଢଙ୍ଗୀ, ବ୍ରଜ ତ୍ରିପାଠୀ, ବିନୋଦ ଚନ୍ଦ୍ର ରାଉତ, ଯୁବ କଂଗ୍ରେସ ସଭାପତି ସୁମିତ କଂସାରୀ, ଅଜୟ ଖାଲକୋ, ଅମିତ୍ କୁମାର ବାରା, ସରୋଜ କୁମାର ଲେଙ୍କା, ସିକନ୍ଦର ଅହମ୍ମଦ, ପ୍ରଫୁଲ୍ଲ କଂସାରୀ, ମାନୁ ସାମଲ, ରାଜେଶ ଟପ୍ପୋ, ରଞ୍ଜିତା ମଲ୍ଲିକ, ଶିବ ସୁନା, ଲକ୍ଷ୍ମୀଧର କୁଶଲ, ସୁଖଦେବ ତାଣ୍ଡି, ଆକାଶ ଦୀପ୍ ପ୍ରମୁଖ ଉପସ୍ଥିତ ଥିଲେ।

