ରାଉରକେଲା:5//2,(ଉତ୍କଳ ସମାଚାର) ଆଧ୍ୟାତ୍ମିକ ଅନୁଷ୍ଠାନ ‘ ଶ୍ରୀ ଜଗନ୍ନାଥ ଜ୍ଞାନ ଦର୍ଶନ ପରିଷଦ ଓଡିଶା’ର ଓଡ଼ିଶା ପରିକ୍ରମା କାର୍ଯ୍ୟକ୍ରମ ଇସ୍ପାତ ନଗରୀ ରାଉରକେଲାର ଫ୍ଲୁଟନ୍ ମଲ୍ ନିକଟସ୍ଥ ‘ଶୁଭସ୍ୱସ୍ତି’ ଆପାର୍ଟମେଣ୍ଟର କମ୍ୟୁନିଟି ହଲରେ ଅନୁଷ୍ଠିତ ହୋଇଯାଇଅଛି । ଉତ୍ସବ ପ୍ରାରମ୍ଭରେ ସକାଳ ୯ ଘଟିକା ସମୟରେ ଭକ୍ତମାନେ ଛେଣ୍ଡସ୍ଥିତ ‘ଦେବ ବିହାର ମନ୍ଦିର’ରୁ ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନାକଚଣା ଆଜ୍ଞାମାଳ ଓ ମହାପ୍ରସାଦ ସହ ଭବ୍ୟ ନଗରକୀର୍ତ୍ତନରେ ବାହାରି ଉତ୍ସବସ୍ଥଳରେ ପହଞ୍ଚିଥିଲେ ।ପୂର୍ବାହ୍ନ ୧୦.୦୦ ଘଟିକାରେ ପରିଷଦର ଉପ-ସଭାପତି ଭାରତୀ ଭୂଷଣ ମିଶ୍ରଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଓ ସଭାକୁ ପରିଚାଳନା କରିଥିଲେ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ବିଶ୍ବମ୍ବର ମହାପାତ୍ର। ଏଥିରେ ରାଉରକେଲାର ଅବସରପ୍ରାପ୍ତ ଉପ-ଜିଲ୍ଲାପାଳ ତଥା ସୁନାମଧନ୍ୟ ସାହିତ୍ୟିକ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ଜଗନ୍ନାଥ ତତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ପରିଷଦର ମୁଖ୍ୟ ମାର୍ଗଦର୍ଶକ ପଣ୍ଡିତ ରବିରଞ୍ଜନ ତ୍ରିପାଠୀ ରାମଚରିତ ମାନସର ଆଲୋଚନା ରଖିଥିବାବେଳେ ଅନ୍ୟତମ ଅତିଥି ରୂପେ ପରିଷଦର ମୁଖ୍ୟ ପରିଚାଳିକା ସୁକାନ୍ତି ତ୍ରିପାଠୀ, ଉପସ୍ଥାପିକା ଉର୍ବଶୀ ଦାଶ ପତି ମଞ୍ଚାସୀନ ହୋଇ ସାମ୍ପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗତ ପରିଷଦର ସଦସ୍ୟ, ସଦସ୍ୟାମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ତ୍ରିପାଠୀ, ବିଜୟ କୁମାର ଦାଶ, ସନ୍ନ୍ୟାସିନୀ ମାତା ଅରୁନ୍ଧତୀ ପୁରୀ, ସୁଜାତା ମଲ୍ଲିକ, ଦମୟନ୍ତୀ ବାରିକ, ନିହାର ମାଳିନୀ ନାୟକ, ପ୍ରତୀମା ସାହୁ, ରବୀନ୍ଦ୍ର କୁମାର ସେଠୀ, ଚିନ୍ମୟୀ ଦେବୀ, ସୀତାଂଶୁ ଜେନା, ପ୍ରତ୍ୟୁଷ ସ୍ୱାଇଁ ସମେତ ରାଉରକେଲାର ବହୁ ଶ୍ରଦ୍ଧାଳୁ ତଥା ଜଗନ୍ନାଥପ୍ରେମୀ ଭକ୍ତମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ ।

