ରାଉରକେଲା:5//2,(ଉତ୍କଳ ସମାଚାର) ସଚ୍ଚିଦାନନ୍ଦ ସ୍ମୃତି ସମିତି,ଛେଣ୍ଡ ତରଫରୁ ଓଡିଆ ସାହିତ୍ୟର ପ୍ରଥିତଯଶା କବି ଜଗନ୍ନାଥ ଦାସଙ୍କ ସମ୍ପର୍କରେ ଆଲୋଚନାଚକ୍ର ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତିର ଆବାହିକା ଶର୍ମିଷ୍ଠା କବିଶତପଥୀ ଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ରାଜୀବ ପାଣି ସଭାପତିତ୍ବ କରିଥିଲାବେଳେ ଆଲୋଚିକା ଭାବେ ଡ. ସରୋଜିନୀ ପତି ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ଡ଼ ପତି ତାଙ୍କ ବକ୍ତବ୍ୟରେ କହିଲେ ଯେ ଆଧ୍ୟାତ୍ମିକ ସାହିତ୍ୟ ଜଗତରେ ସମ୍ମାନସ୍ପଦ ସ୍ଥାନରେ ଭାଗବତ ରହିଛି। ଶାସ୍ତ୍ର ଆମର ମାର୍ଗଦର୍ଶକ ତଥା ସେ ଆମକୁ ଶାସନ କରନ୍ତି। ସେହିପରି ନମ୍ରତା ହେଉଛି ବୈଷ୍ଣବଙ୍କ ର ଲକ୍ଷଣ। ବିଷୟର ଅନ୍ୟନାମ ପ୍ରୟାସ,ଏହାସହ ଐକାନ୍ତିକ ଭକ୍ତି, ପ୍ରୟୋଜନ ତତ୍ବ, ମାଧୁର୍ଯ୍ୟ ଲୀଳା, ସୁଧା ଭକ୍ତି,ଜ୍ଞାନଭକ୍ତି, ତଥା ଜଗନ୍ନାଥ ଦାସଙ୍କ କୃତ୍ତି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଆବାହକ ଶ୍ରୀମତୀ କବି ଶତପଥୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ସଭାପତି ଶ୍ରୀ ପାଣି ପ୍ରଥିତଯଶା କବି ଜଗନ୍ନାଥ ଦାସଙ୍କ କୃତି କିପରି ଓଡିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ସେ ସମ୍ପର୍କରେ ମତ ରଖିଥିଲେ। ଶେଷରେ ଆଲୋକ ରଂଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର ତଥା ବହୁ ସାହିତ୍ୟନୁରାଗୀ, ଶିକ୍ଷାବିତ,କବି ଯୋଗଦେଇଥିଲେ।

