ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟକୁ ନେଇ ରାଉରକେଲା ପୋଲିସର ବଡ କାର୍ଯ୍ଯାନୁଷ୍ଠାନ
ରାଉରକେଲା ୧୭/୨,(ଉତ୍କଳ ସମାଚାର) ଫେବୃଆରୀ ୧୬ ତାରିଖ ରାତିରେ ପ୍ଲାଣ୍ଟସାଇଟ୍ ଥାନାର ଏସ୍ଆଇ ଏସ୍ ପ୍ରଧାନ, ଥାନା କର୍ମଚାରୀଙ୍କ ସହିତ ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଅଞ୍ଚଳରେ ରାତି ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବନ୍ଧମୁଣ୍ଡା ରାସ୍ତାର ଫଟାପାଇପ୍ ନିକଟସ୍ଥ ଶିବଶଙ୍କର ନଗର ଠାରେ ଏକ ଏନଡିପିଏସ ମାମଲା ଚିହ୍ନଟ କରିଥିଲେ।ଅଭିଯୁକ୍ତ ଗୁଣନିଧି ଘୁସି, ସୁକାନ୍ତ ଓରାମ, ରାହୁଲ କୁମାର ସାହୁ, ନିଖିଲ ରାୟ, କୌଶିକ କୁମାର ପାଢୀ ଏବଂ ନିରଜ ସୋନକର ପାଞ୍ଚଟି ଗାଡ଼ିରେ ବେଆଇନ ଭାବରେ ୫୦୨ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ସେହି ଗାଡିଗୁଡିକ ମଧ୍ଯରେ ଗୋଟିଏ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋ ନିଓ ଗାଡ଼ି ଯାହାର ପଞ୍ଜିକରଣ ନମ୍ବର (OD-23S-7479), ଗୋଟିଏ ମାରୁତି ସୁଜୁକି ଡିଜାୟାର କାର୍ ଯାହାର ପଞ୍ଜିକରଣ ନମ୍ବର (OD-11C-6491), ଗୋଟିଏ ମାରୁତି ସୁଜୁକି ଡିଜାୟାର କାର୍ ଯାହାର ପଞ୍ଜିକରଣ ନମ୍ବର (OD-14AZ-3416), ଗୋଟିଏ ମାରୁତି ସିଜୁକି ଡିଜାୟାର କାର୍ ଯାହାର ପଞ୍ଜିକରଣ ନମ୍ବର (OD-14-AF-1116) ଏବଂ ଗୋଟିଏ ସିଲଭର ରଙ୍ଗର ମାରୁତି ବ୍ରିଜା କାର୍ ଯାହାର ପଞ୍ଜିକରଣ ନମ୍ବର (OD 14AG-0019)ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦେଖାଯାଇଥିଲା। ଅଭିଯୁକ୍ତମାନେ ସେମାନଙ୍କର ବ୍ୟକ୍ତିଗତ ଲାଭ ପାଇଁ ଏହି ସମସ୍ତ ଗଞ୍ଜେଇକୁ ବିକ୍ରୟ କରିବା ପାଇଁ ଚାଲାଣ କରୁଥିଲେ ବୋଲି ଆଜି ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ।ଅଭିଯୁକ୍ତମାନେ କନ୍ଧମାଳ-ବୌଦ୍ଧ ପାର୍ଶ୍ୱରୁ ଚୋରା ଗଞ୍ଜେଇ ସଂଗ୍ରହ କରୁଥିଲେ ଏବଂ ବିକ୍ରୟ ଉଦ୍ଦେଶ୍ୟରେ ଝାଡ଼ଖଣ୍ଡ, ଛତିଶଗଡ଼ ପାର୍ଶ୍ୱକୁ ଚାଲାଣ କରୁଥିଲେ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜେଇ ଚୋରା ଚାଲାଣ କରୁଥିବା ୬ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଅରଦା ଜାମକାନିର ଗୁଣନିଧି ଘୁସି (୩୬ ବର୍ଷ), ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅଧିନସ୍ଥ ବଡ ବିରାଙ୍ଗଝୋର ଗ୍ରାମର ସୁଖନାଥ ଓରାମ (୩୭ ବର୍ଷ), ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଶିବ ମନ୍ଦିର ନିକଟର ରାହୁଲ କୁମାର ସାହୁ (୨୫ ବର୍ଷ), ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଡେଲି ମାର୍କେଟ ଜନତା ନିବାସ ଗଳିର ନିଖିଲ ରାୟ (୨୩ ବର୍ଷ), ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଝରିଆବାହାଲ ଗ୍ରାମର କୌଶିକ ପାଢୀ ଓରଫ୍ ରାଜା (୩୧ ବର୍ଷ) ହୋଇଥିଲା ବେଳେ ସେ ବର୍ତ୍ତମାନ ଝାରସୁଗୁଡ଼ା ଟାଉନ ଥାନା ଅଧିନସ୍ଥ ସରବାହାଲରେ ରହୁଥିବା ଜଣାପଡ଼ିଛି। ସେହିପରି ଷଷ୍ଠ ଅଭିଯୁକ୍ତ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଡିଲକ୍ସ ଗଳି ଶିବ ମନ୍ଦିର ନିକଟର ନୀରଜ ସୋନକାର ହୋଇଥିଲା ବେଳେ ବର୍ତ୍ତମାନ ସେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ସେକ୍ଟର-୨୧ ନୟାବଜାର କଲ୍ଯାଣୀ ବସ୍ତିରେ ରହୁଥିବା ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ୫୦୨ କେଜି ୪୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ସେହିପରି ୫ଟି କାର୍ ମଧ୍ଯରେ ରହିଛି ଗୋଟିଏ ମହିନ୍ଦ୍ରା ଧଳା ରଙ୍ଗର ନିଓ, ୩ଟି ମାରୁତି ସୁଜୁକି ଡିଜାୟାର ଏବଂ ଗୋଟିଏ ସିଲଭର କଲର ମାରୁତି ବ୍ରେଜା। ଏଥିସହିତ ୮ଟି ବିଭିନ୍ନ କମ୍ପାନୀର ମୋବାଇଲ ଫୋନ ଓ ନଗଦ ୨୩୦୦ ଟଙ୍କା ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ ନୀରଜ ସୋନକାର ବିରୁଦ୍ଧରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ଦୁଇଟି ମାମଲା ରହିଥିଲା ବେଳେ ଅଭିଯୁକ୍ତ ନିଖିଲ ରାୟ ବିରୁଦ୍ଧରେ ବନ୍ଧମୁଣ୍ଡା ଥାନାରେ ଗୋଟିଏ ମାମଲା ରହିଛି। ଅନ୍ୟମାନଙ୍କ ବିରୋଧରେ ଅନୁସନ୍ଧାନ ଜାରି ରହିଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏପର୍ଯ୍ୟନ୍ତ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ କାର୍ଯ୍ଯକାଳ ମଧ୍ଯରେ ୮ କ୍ଯୁଣ୍ଟାଲରୁ ଉର୍ଦ୍ଧ୍ବ ବେଆଇନ ଗଞ୍ଜେଇ ଜବତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ। ସମସ୍ତ ୬ ଅଭିଯୁକ୍ତଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନା କେସ୍ ନଂ ୧୩୯/୧୭-୨-୨୦୨୫ ରୁଜୁ କରାଯିବା ସହିତ ଏନଡିପିଏସ୍ ଆକ୍ଟ ୨୦(ବି)(ii)(ସି)/୨୫ରେ କୋର୍ଟ ଚାଲାଣ କରାଯାଇଛି।


