ରାଉରକେଲା ୨୦/୩,(ଉତ୍କଳ ସମାଚାର) ଓଡ଼ିଆ ପରମ୍ପରାର ପ୍ରତୀକ ଭାବରେ ପଖାଳକୁ ମନେପକାଇ ମାର୍ଚ୍ଚ ୨୦ ତାରିଖକୁ ସମଗ୍ର ଓଡିଶାରେ ପଖାଳ ଦିବସ ଭାବରେ ପାଳନ କରାଯାଉଛି। ପଖାଳ ଦିବସ ଉପଲକ୍ଷେ ଆଜି ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ଉତ୍ସାହ ଓ ଆନନ୍ଦର ସହିତ ପଖାଳ ଦିବସ ପାଳନ କରାଯାଇଛି। ଗ୍ରୀଷ୍ମ ଋତୁରେ ଶରୀରକୁ ଶୀତଳ ରଖିବା ପାଇଁ ପଖାଳର ଆବଶ୍ୟକତା ରହିଥିଲା ବେଳେ, ଏହାର ଗୁରୁତ୍ୱକୁ ନେଇ ସିଭିଲ ଟାଉନସିପ ସ୍ଥିତ ମା ଇନ୍ଦିରା ମହିଳା ସମିତି ପକ୍ଷରୁ ମହାଆଡମ୍ବର ସହକାରେ ପଖାଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ଅଦା କଞ୍ଚାଲଙ୍କା ଛେଚା, ଲେମ୍ବୁ ଇତ୍ୟାଦି ଦିଆଯାଇ ପଖାଳ ସହିତ ସାଗ, ବଡ଼ିଚୁରା, ଆଳୁ, ଭେଣ୍ଡି, ଫୁଲକୋବି, ଭଜା, ଆଳୁ ଭର୍ତ୍ତା, ସାଲାଟ୍, ସଜନା ଛୁଇଁ ଭଜା, ପୋଦିନା ଓ ଧଣିଆ ଚଟଣି, ବାଇଗଣ ପୋଡା ସହ ଆଳୁ ଭର୍ତ୍ତା ଓ ମାଛଭଜା ପରି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ପରିବେଷଣ କରାଯାଇଥିଲା। ସୋସିଆଲ ମିଡିଆରେ ପଖାଳ ଦିବସ ଅବସରରେ ଲୋକମାନେ ପଖାଳ ଖାଇବାର ଫଟୋ ଓ ଭିଡିଓ ଶେୟାର କରୁଥିଲାବେଳେ, ବାସ୍ତବିକ କ୍ଷେତ୍ରରେ ମା ଇନ୍ଦିରା ମହିଳା ସମିତି ପକ୍ଷରୁ ଏହାକୁ ପାଳନ କରାଯାଇଛି। ପଖାଳ ଏକ ପୃଷ୍ଟିକର ଓ ସ୍ୱାସ୍ଥ୍ୟକର ଖାଦ୍ୟ, ଯାହା ଶରୀରକୁ ଥଣ୍ଡା ରଖିବା ସହିତ ପାଚନକୁ ସହଜ କରିଥାଏ। ସାମାଜିକ ସଂଗଠନମାନେ ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ଆଗକୁ ନେବା ପାଇଁ ଏହି ପଖାଳ ଦିବସ ପାଳନର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ମା ଇନ୍ଦିରା ମହିଳା ସମିତି ପକ୍ଷରୁ ଆଜିର ପଖାଳ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲା ବେଳେ, ସମ୍ମାନୀୟ ଅତିଥି ଭାବେ ଛବି ମହାନ୍ତି, ପିଙ୍କୁ ଜୈସ୍ବାଲ, ବିନୋଦ ରାଉତ, ବୈଲୋଚନ ସାହୁ, ବାଇନଙ୍କ ଯୋଗଦେଇ ପଖାଳର ଆନନ୍ଦ ନେଇଥିଲେ।ଏହି ପଖାଳ ଦିବସ ପାଳନ ଅବସରରେ ମା’ ଇନ୍ଦିରା ମହିଳା ସମିତିର ସଭାପତି ପୁଷ୍ପା ଲେଙ୍କା, ଡିମ୍ପଲ ସାହୁ, ଲୀଳାବତୀ ସାହୁ, ସଞ୍ଜୁଲତା ଦାସ, ଝୁଲଣା ନାୟକ, ରୀତା ଗୌଡ, ଜ୍ଯୋସ୍ନା ସ୍ବାଇଁ, ପୁନମ ସମାସୀ, କୌଶଲ୍ୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରି ପଖାଳ ପରଶିବା ସହିତ ପଖାଳ ଦିବସକୁ ପାଳନ କରିଥିଲେ।

