ରାଉରକେଲା,20//3,(ଉତ୍କଳ ସମାଚାର) ରାଉରକେଲା ବନଖଣ୍ଡ ପକ୍ଷରୁ ଡ଼ିଏଫଓ ଯଶବନ୍ତ ସେଠିଙ୍କ ନିର୍ଦେଶକ୍ରମେ ବିରମିତ୍ରପୁର ଫରେଷ୍ଟ ରେଞ୍ଜର ନୂଆଗାଁ ବଜ଼ାର, ହାତିବାରୀ ହାଟ, ରାଏବଗା ହାଟ, ବିରମିତ୍ରପୁର ମେଳା ପ୍ରଭୃତି ସ୍ଥଳରେ ବନାଗ୍ନୀ ନିବାରଣ ନେଇ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି l ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ କଳାକାରବୃନ୍ଦ l ଜଙ୍ଗଲ ପୋଡି ଯୋଗୁଁ ବୃକ୍ଷରାଜି ନଷ୍ଟ ହେବା ସହ ବିଭିନ୍ନ ପ୍ରଜାତିର ବିଲୋପ ଘଟିଥାଏ ଓ ବାନ୍ୟଜନ୍ତୁ ପ୍ରଭାବିତ ହୋଇଥାନ୍ତି l ଏଣୁ ମହୁଲ ସଂଗ୍ରହ, ଜୀବଜନ୍ତୁ ଶିକାର କିମ୍ବା ବଣଭୋଜି ପାଇଁ ଜଙ୍ଗଲରେ ନିଆଁ ନଲଗାଇବାକୁ ନିବେଦନ କରାଯାଇଥିଲା l ସେହିପରି ଜଳନ୍ତା ସିଗାରେଟ କିମ୍ବା ଦିଆସିଲି କାଠି ଏଣେତେଣେ ନପକାଇବାକୁ ପରାମର୍ଶ ଦିଆଯାଇଥିଲା l ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇଲେ 7 ବର୍ଷ ଜେଲଦଣ୍ଡ ଓ 10 ହଜାର ଟଙ୍କା ଜୋରିମାନା ଦେବା ନିୟମ ସମ୍ପର୍କରେ ଅଞ୍ଚଳବାସୀଙ୍କୁ ସତର୍କ କରାଇ ଦିଆଯାଇଥିଲା l ହାଟ ସଉଦା ପାଇଁ ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ବାସିନ୍ଦାମାନେ କଳାକାରମାନଙ୍କ ଅଭିନୟର ପ୍ରଶଂସା କରିବା ସହ ଜଙ୍ଗଲ ସୁରକ୍ଷା ନେଇ ସମ୍ମତି ଜଣାଈଥିଲେ l ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ନୂଆଗାଁ ସରପଞ୍ଚ ଏମ.ଏମ ମିଞ୍ଜ, ହାତିବାରୀ ଫରେଷ୍ଟର ସୁଶୀଲ କେରକେଟା, ରାଏବଗା ଫରେଷ୍ଟର ଲୋକନାଥ ମେହେର, ବିରମିତ୍ରପୁର ଫରେଷ୍ଟର କ୍ଷିତି ଭୂଷଣ ମହନ୍ତ, ରେଷ୍ଟ ଗାର୍ଡ ରତିକାନ୍ତ ଜେନା, ହସିନା ସେଠ୍, ସମାଜସେବୀ ଜୟ ଶଙ୍କର ଠାକୁର, ରିଙ୍କି ପାତ୍ର, ସସ୍ମିତା ରାଣୀ ବେରା, ଫରେଷ୍ଟ ସ୍କ୍ୱାୱାର୍ଡ ଆକାଶ ଶେଖର ଦେଓ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇବା ସହ ଲିଫଲେଟ ବଣ୍ଟନ କରିଥିଲେ l କାର୍ଯ୍ୟକ୍ରମ ସ୍ଥଳରେ ବହୁ ଜନସମାଗମ ହୋଇଥିଲା l

