ରାଉରକେଲା ୧/୪,(ଉତ୍କଳ ସମାଚାର) ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଜି ୯୧ତମ ଜୟନ୍ତୀ ପାଳନ କରାଯାଉଛି। ୧୯୩୬ ଅପ୍ରେଲ ୧ ତାରିଖ ଦିନ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଅର୍ଥାତ୍ ଆଜିର ଓଡିଶା ପ୍ରଦେଶ ଗଠନ ହୋଇଥିଲା। ଏଥିସହିତ ଓଡିଶା ପୋଲିସ୍ ବାହିନୀର ମଧ୍ଯ ଗଠନ କରାଯାଇଥିଲା। ଆଜି ଓଡିଶା ପୋଲିସ୍ ୯୧ତମ ବର୍ଷରେ ପଦାର୍ପଣ କରିବା ସହିତ ୯୧ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳନ କରୁଛି। ୧ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ରାଉରକେଲା ସଂରକ୍ଷିତ ଆରକ୍ଷୀ କାର୍ଯ୍ଯାଳୟ ପଡିଆରେ ମିଳିତ ପ୍ଯାରେଡ୍ ଅନୁଷ୍ଠିତ ହୋଇଥିଲା। ଏହି ପ୍ଯାରେଡରେ ପାଞ୍ଚ ପ୍ଲାଟୁନ୍ ପୋଲିସ ଫୋର୍ସ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ସମ୍ମାନୀୟ ଅତିଥି ଭାବେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଯୋଗଦେଇ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପ୍ଯାରେଡର ଅଭିବାଦନ ଗ୍ରହଣ କରିଥିଲେ। ୯୧ତମ ପୋଲିସ୍ ପ୍ରତିଷ୍ଠା ଦିବସର ମିଳିତ ପ୍ଯାରେଡ ପରେ ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ରଙ୍କ ତତ୍ତ୍ବାବଧାନରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ୯୧ତମ ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ରାଜ୍ଯପାଳ ହରିବାବୁ କମ୍ଭମପତିଙ୍କ ବାର୍ତ୍ତା ପାଠ କରିଥିଲେ। ଏଥିସହିତ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ୯୧ତମ ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଦେଇଥିବା ବାର୍ତ୍ତା ମଧ୍ୟ ପଠନ କରିଥିଲେ। ୯୧ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଉରକେଲା ପୋଲିସ୍ ଜିଲ୍ଲାରେ ଉତ୍ତମ କାର୍ଯ୍ଯ ଦକ୍ଷତା ପାଇଁ ୧୫ ଜଣ ପୋଲିସ୍ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯିବା ସହ ସେମାନଙ୍କୁ ମାନପତ୍ର ଏବଂ ନଗଦ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଏହି ୧୫ ଜଣ ପୋଲିସଙ୍କ ମଧ୍ଯରେ ପୋଲିସ୍ ଏସ୍ଆଇ ଅର୍ଜୁନ ସେଠୀ, ଏଏସ୍ଆଇ ରତିରଞ୍ଜନ ସାମଲ, ହାବିଲଦାର ଦିନେଶ ଚନ୍ଦ୍ର ନାୟକ, କନେଷ୍ଟବଲ ଭାଗୀରଥି ହେମ୍ବ୍ରମ, ଟ୍ରାଫିକ୍ କନେଷ୍ଟବଲ ଅର୍ଚ୍ଚନା ଏକ୍କା, କନେଷ୍ଟବଲ ବିକାଶ କୁମାର ନାୟକ, ରେଳବାଇ ପୋଲିସ (ଜିଆଇପି) ଏସ୍ଆଇ ଦୀପକ କୁମାର ମାଝି, ରେଳବାଇ ପୋଲିସ୍ ଏଏସ୍ଆଇ ସୁନୀଲ କୁମାର ତାରିଣୀ, ରେଳବାଇ ହାବିଲଦାର କୃଷ୍ଣ ଚନ୍ଦ୍ର ପୃଷ୍ଟି, ରେଳବାଇ କନେଷ୍ଟବଲ ଆନନ୍ଦ କୁମାର ନାୟକ, ରେଳବାଇ କନେଷ୍ଟବଲ ପ୍ରଶାନ୍ତ କୁମାର ଜେନା, ଓଏସ୍ଏପି (ଆର୍ମଡ୍) ଏସ୍ଆଇ ଅମୀୟ କୁମାର ପଟ୍ଟନାୟକ, ଓଏସ୍ଏପି ମେଜର ରାଜେଶ ଗୁରୁଙ୍ଗ୍, ଓଏସ୍ଏପି ହାବିଲଦାର ପୁଲିନ୍ କୁମାର ସାହୁ, ଓଏସ୍ଏପି କନେଷ୍ଟବଲ ପ୍ରବୁରାମ ପ୍ରଧାନ ପ୍ରମୁଖ ରହିଛନ୍ତି। ୯୧ତମ ପୋଲିସ୍ ପ୍ରତିଷ୍ଠା ଦିବସରେ କାର୍ଯ୍ଯଦକ୍ଷତା ପାଇଁ ପୁରସ୍କାର ପ୍ରଦାନ ପରେ, ପ୍ଯାରେଡର ପରିସମାପ୍ତି କରାଯାଇଥିଲା। ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଏବଂ ସମ୍ମାନୀୟ ଅତିଥି ବିଚାରବିଭାଗର ବିଚାରପତି ପ୍ରମୁଖଙ୍କ ଗହଣରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC), ଦକ୍ଷତା ବିକାଶ ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ପ୍ରଶିକ୍ଷାର୍ଥୀ ଛାତ୍ରଛାତ୍ରୀଙ୍କ ସହ ଫଟୋ ଉତ୍ତୋଳନ କରିଥିଲେ।


