ରାଉରକେଲା ୧/୪, (ଉତ୍କଳ ସମାଚାର)ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାର ଆଜି ୯୦ ବର୍ଷ ପୂରଣ ହେବା ସହିତ ପ୍ରଦେଶର ନାମ ପରିବର୍ତ୍ତନ ହୋଇ ଓଡିଶା ହୋଇଛି। ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ନବଗଠିତ ହୋଇଥିଲା। ଆଜି ଓଡିଶା ୯୧ତମ ଜୟନ୍ତୀ ପାଳନ ସହିତ ଓଡିଶା(ଉତ୍କଳ) ଦିବସ ପାଳନ କରୁଛି।ଆଜି ରାଉରକେଲା ପ୍ରଶାସନ ପକ୍ଷରୁ ମହାଆଡମ୍ବରରେ ଓଡ଼ିଶା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀରଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଉତ୍କଳର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଗଜପତି କୃଷ୍ଣ ଚନ୍ଦ୍ର ଗଜପତିଙ୍କ ସମେତ ଅନ୍ୟାନ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ସମବେତ ଜନତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ।ଆଜି ଓଡିଶା ଦିବସ ପାଳନ ସମାରୋହରେ ସହରର ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଓଡ଼ିଶା ଦିବସର ବିଷୟବସ୍ତୁକୁ ଆଧାର କରି ପ୍ରଜ୍ଞାପନ ମେଢ଼ର ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଆକର୍ଷଣୀୟ ଶୋଭାଯାତ୍ରା ଉଦିତନଗର ଆମ୍ବେଦକର ଛକରୁ ବାହାରି ଡେଲି ମାର୍କେଟ, ପ୍ଲାଣ୍ଟସାଇଟ୍, ରାଉରକେଲା ରେଳଷ୍ଟେସନ୍ ସମ୍ମୁଖ ମଧୁସୂଦନ ମାର୍ଗ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଥିଲା।ଓଡିଶା ଦିବସ ଅବସରରେ ଉତ୍କଳର ବରପୁତ୍ର ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ଯ ଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ରାଉରକେଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବ୍ଯକ୍ତି ବିଶେଷ ।


