ରାଉରକେଲା ୧/୪,(ଉତ୍କଳ ସମାଚାର) ମାର୍ଚ୍ଚ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ମେଙ୍ଗାଲୁର ଠାରେ ଆୟୋଜିତ ହୋଇଥିବା ସିନିୟର୍ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଆକାଂକ୍ଷା ପରିଡ଼ାଙ୍କ ସ୍ୱର୍ଣ୍ଣପଦକ ହାସଲ ସହ ଦୁଇଟି ନୂତନ ରେକର୍ଡ ସୃଷ୍ଟି ହୋଇଛି। ଓଡିଶା ରାଉରକେଲା ସହରର କୋଏଲନଗର ସୀ ସୁଭେନ୍ଦ୍ର ପରିଡ଼ାଙ୍କ ଅଲିଅଳି ଝିଅ ଆକାଂକ୍ଷା ପରିଡ଼ା ମେଙ୍ଗାଲୁର ଠାରେ ଆୟୋଜିତ ହୋଇଥିବା ସିନିୟର୍ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ କମାଲ ଦେଖାଇଛନ୍ତି ଓଡ଼ିଆ ଝିଅ ଆକାଂକ୍ଷା। ପ୍ରଥମ ଥର ଓଡ଼ିଶାରୁ ପ୍ରତିନିଧିତ୍ବ କରି ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ସହ ନୂତନ ରେକର୍ଡ କରିବା ଆକାଂକ୍ଷାକୁ ଉତ୍ସାହିତ କରିଛି । ଆକାଂକ୍ଷା ସ୍କୁଆଟରେ ୨୧୧ କିଲୋ, ବେଞ୍ଚ ଫ୍ରେସରେ ୯୫ କିଲୋ ଏବଂ ଡେଡ୍ ଲିଫ୍ଟରେ ୧୭୨.୫ କିଲୋ ସମୁଦାୟ ୪୭୮.୫ କିଲୋ ଉଠାଇ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ସହିତ ପୂର୍ବର ରେକର୍ଡ ସ୍କୁଆଟରେ ୨୧୦ କିଲୋ ଓ ସମୁଦାୟ ୪୫୭.୫ କିଲୋ ଥିବା ଜୁନିୟର ଓ ସିନିୟର୍ ରେକର୍ଡକୁ ଭାଙ୍ଗି ଯଥାକ୍ରମେ ୨୧୧ ଓ ୪୭୮.୫ କିଲୋ ଉଠାଇ ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି।ଆକାଂକ୍ଷାଙ୍କ କୋଚ୍ ବ୍ରହ୍ମପଦ ବେହେରାଙ୍କ ସଫଳ ପ୍ରଶିକ୍ଷଣ ଆଜି ଓଡ଼ିଶାକୁ ଗର୍ବିତ କରିବା ସହିତ ରାଉରକେଲାକୁ ମଧ୍ୟ ଗୌରବାନିତ୍ୱ କରିଛି। ଆକାଂକ୍ଷା ମାତ୍ର ୨୦ ବର୍ଷ ବୟସରେ ଏଭଳି ସଫଳତା ପାଇଥିବାରୁ ପରିବାରର ସମସ୍ତ ସଦସ୍ୟ କୋଚ୍ ବ୍ରହ୍ମପଦଙ୍କୁ ସାଧୁବାଦ ଜଣାଇଛନ୍ତି । ୩୧ ମାର୍ଚ୍ଚ ଅପରାହ୍ନରେ ଆକାଂକ୍ଷା ରାଉରକେଲା ପହଞ୍ଚିଲାପରେ ପରିବାରଗଣ ଓ କୋଚଙ୍କ ପକ୍ଷରୁ ତାଙ୍କୁ ରାଉରକେଲା ରେଳ ଷ୍ଟେସନରେ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା । କୋଚ୍ ଆକାଂକ୍ଷାଙ୍କ ଏହି ସଫଳତାକୁ ନେଇ କୁହନ୍ତି ଯେ, ଗତ ଦୁଇ ବର୍ଷ ହେଲା ଆକାଂକ୍ଷା ନିଷ୍ଟାର ସହିତ ନିଜର ବ୍ୟକ୍ତିଗତ କାର୍ଯ୍ୟକୁ ସମୟ ଦେଇ ଯେଁଉଭଳି ଭାବରେ ଶକ୍ତି ଉତ୍ତୋଳନକୁ ସଂଘର୍ଷର ସହିତ ଲଢ଼ି ଏଭଳି ସଫଳତା ହାସଲ କରିଛନ୍ତି, ଏହା ନିଶ୍ଚିତ ଅନ୍ୟ ଖେଳାଳୀଙ୍କୁ ପ୍ରେରଣା ଯୋଗାଇବା ସହିତ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବ। ଆକାଂକ୍ଷାଙ୍କ ଏଭଳି ସଫଳତା ତାଙ୍କୁ ଆଗକୁ ଅଧିକ ପ୍ରଶିକ୍ଷଣ ପାଇଁ ପ୍ରେରଣା ଯୋଗାଇବ।

