ନବରଙ୍ଗପୁର ତା ୪.୪.୨୦୨୬:(ଉତ୍କଳ ସମାଚାର)ଆଜି ସ୍ଥାନୀୟ ଡ଼ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରୁ ଓଡ଼ିଆ ପକ୍ଷ ପାଳନ ଅବସରରେ “ଓଡ଼ିଆ ନାମ ଫଳକ ଅଭିଯାନ” ର ଏକ ବିଶାଳ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ମାନ୍ୟବର ବିଧାୟକ ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡା. ମହେଶ୍ୱର ସ୍ୱାଇଁ ଏହି ଅଭିଯାନକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ପୌରାଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ,ଜିଲ୍ଲା ମଙ୍ଗଳ ଅଧିକାରୀ ପାଳକା ରବୀନ୍ଦ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଘଷିଆ ହରିଜନଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଉପସ୍ଥିତ ଥିଲେ।୧୪ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି “ଓଡ଼ିଆ ପକ୍ଷ”ରେ ଆଜିର ନାମ ଫଳକ ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ନିଜ ନିଜର ନାମଫଳକ ବା ବ୍ରାଣ୍ଡିଂରେ ଓଡ଼ିଆ ଭାଷାକୁ ନିଶ୍ଚିତ ପ୍ରାଧାନ୍ୟ ଦେବେ। ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଏହି ଅଭିଯାନକୁ ବ୍ୟାପକ କରାଯାଇଛି। ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଭାବେ ସର୍ବତ୍ର ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣ ଓ ବ୍ୟବସାୟୀ ସଂଘକୁ ନିବେଦନ କରାଯାଇଛି ଓ ସଚେତନ କରାଯାଉଛି।ଏହି ସଚେତନ ଶୋଭାଯାତ୍ରାରେ ଅଧିକାରୀ,ଉତ୍କଳ ସମ୍ମିଳନୀର କର୍ମକର୍ତା, ଟ୍ରେଡ ୟୁନିଅନ ର କର୍ମକର୍ତ୍ତା ଓ ସଦସ୍ୟ,ଚାମ୍ବର ଅଫ କମର୍ସର କର୍ମକର୍ତ୍ତା,ଶ୍ରମ ବିଭାଗ ର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

