ରାଉରକେଲା :4//4,(ଉତ୍କଳ ସମାଚାର) ରାଉରକେଲା ବନଖଣ୍ଡ ପକ୍ଷରୁ ଡ଼ିଏଫଓ ଯଶବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ନିଆଁ ନିବାରଣ ନେଇ ବିଭିନ୍ନ ଆଦିବାସୀ ବହୁଳ ଗ୍ରାମାଞ୍ଚଳ ରେ ଓଡ଼ିଆ ଓ ସାଦ୍ରୀ ଭାଷାରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଉଛି l ଯାହାଦ୍ୱାରା ସ୍ଥାନୀୟ ଲୋକେ ସହଜ ରେ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ବୁଝି ପାରୁଛନ୍ତି l କଳାକାର ବାପି ପଲାଇ, ରଶ୍ମିତା ବିଷୋୟୀ, ଅଭିପ୍ସା ପ୍ରମୁଖ ସୁନ୍ଦର ଅଭିନୟ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରୁଛନ୍ତି l ପାନପୋଷ, ବିଶ୍ରା, ବାଙ୍କୀ, ବିରମିତ୍ରପୁର, କୁଆଁରମୁଣ୍ଡା ଓ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ ସହ ସଚେତନତା ସଭା ଅନୁଷ୍ଠିତ ହେଊଛି l ଆଜି ରଜାମୁଣ୍ଡା ର ସାଲେଇପଲ୍ଲୀ ହାଟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଫରେଷ୍ଟର ଏଚ. ସି. ଜେନା, ଫରେଷ୍ଟ ଗାର୍ଡ ଏସ.ଏସ. ଡାଙ୍ଗ, ସ୍କ୍ୱାଡ଼ ସାଗର କୁମ୍ଭାର, ଏବଂ ମା’ ବୈଷ୍ଣବ ଦେବୀ ମନ୍ଦିର ତଳଛକରେ ଆୟୋଜିତ କାର୍ଯ୍ୟକ୍ରମରେ ଫରେଷ୍ଟର ରୀତାଞ୍ଜଳି ଶତପଥି ଓ ବିଜୟ କଲେର, ଫରେଷ୍ଟ ଗାର୍ଡ ସଂଗ୍ରାମ ବାରିକ ଓ ଗୀତାଞ୍ଜଳି ଏକ୍କା ,ଫରେଷ୍ଟ ସ୍କ୍ୱାଡ଼ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇ ଥିଲେ l ସେହିପରି ପିଏମଶ୍ରୀ ଆର.ଇ.ସି କ୍ୟାମ୍ପସ ହାଇସ୍କୁଲ ଓ ଝିରିପାଣି ବାଜ଼ାର ନିକଟରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବନ୍ଧମୁଣ୍ଡା ଫରେଷ୍ଟ ଗାର୍ଡ ମଞ୍ଜୁ ସୁନାନୀ ଉପସ୍ଥିତ ଥିଲେ l ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକ ଦାସଙ୍କ ସଂଯୋଜନାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି l ଜଙ୍ଗଲ ନିଆଁ ଯୋଗୁଁ ଜୈବ ବିବିଧତା ହ୍ରାସ ପାଇବା, ମୂର୍ତ୍ତିକା କ୍ଷୟ ହେବା, ଜଳ ସଙ୍କଟ ଓ ବାୟୁ ପ୍ରଦୂଷଣ ହେବା ଓ ଏହା ଯୋଗୁଁ ମାନବ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଥିବା ସମର୍କ ରେ ଲୋକଙ୍କୁ ଅବଗତ କରାଯାଉଛି l ଏଣୁ ଶୁଖିଲା ପତ୍ର ରେ ନିଆଁ ନଲଗାଇବା, ଯଦି କେଉଁଠି ବନାଗ୍ନୀ ଘଟେ ତାହାକୁ ଲିଭାଇବା ଓ ବନ ବିଭାଗକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଉଛି l ବିଶେଷ କରି ମହୁଲ ସଂଗ୍ରହ ପାଇଁ ଗଛ ଚାରିପଟେ ପଡ଼ିଥିବା ଶୁଖିଲା ପତ୍ରରେ ନିଆଁ ନଲଗାଇବାକୁ ନିବେଦନ କରାଯାଉଛି l ପଥପ୍ରାନ୍ତ ନାଟକ ସହ ରୋଡ଼ ସୋ, ରାଲି ଓ ସଭା ମାନ କରାଯାଉଛି l କେତେକ ସ୍ଥାନରେ ଅଞ୍ଚଳ ବାସୀ ଜଙ୍ଗଲ ସୁରକ୍ଷା ନେଇ ଶପଥ ପାଠ କରୁଛନ୍ତି l ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ବହୁ ଜନସାଧାରଣ ଉପସ୍ଥିତ ରହୁଥିବା ପରିଲକ୍ଷିତ ହେଉଛି l

