ସମ୍ବଲପୁର,୦୪/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁରର ଆଇ.ଆଇ.ଏମ୍ ର ୧୦ମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ସେମାନଙ୍କୁ ଭବିଷ୍ୟତର ନେତୃତ୍ୱ ନେବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଡୋବ ଇଣ୍ଡିଆର ଉପାଧ୍ୟକ୍ଷା ତଥା ପରିଚାଳନା ନିର୍ଦ୍ଦେଶିକା ପ୍ରତିଭା ମହାପାତ୍ର ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ମାନ୍ୟବର ରାଜ୍ୟପାଳ କହିଥିଲେ ଯେ ଆଜିର ଏ ପର୍ବ ସ୍ନାତକ ହାସଲର ପର୍ବ ନୁହେଁ, ବରଂ ଏହା ସମାଜ ଓ ନିଜ ପରିବାର ପ୍ରତି ଥିବା ଦାୟିତ୍ୱବୋଧର ଏକ ଆରମ୍ଭ I ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ନିଜକୁ ଖାପଖୁଆଇ ଚଳିବା ହିଁ ସଫଳତାର ଚାବିକାଠି। ନୋକିଆ କମ୍ପାନୀର ଉଦାହରଣ ଦେଇ ସେ ବୁଝାଇଥିଲେ ଯେ, ସମୟ ସହିତ ନିଜକୁ ବଦଳାଇ ନପାରିଲେ ପ୍ରତିଷ୍ଠିତ ସଂସ୍ଥା ମଧ୍ୟ ବିଫଳ ହୋଇଥାଏ। ସେହିପରି ଟ୍ୱିଟରର ପୂର୍ବତନ ସିଇଓ ପରାଗ ଅଗ୍ରୱାଲଙ୍କ ସଂଘର୍ଷ ଓ ପୁନର୍ବାର ନୂତନ ଉଦ୍ୟମର ଉଦାହରଣ ଦେଇ ସେ କହିଥିଲେ ଯେ, ବିଫଳତା କେବେ ବି ଶେଷ ନୁହେଁ, ବରଂ ଏହା ସଫଳତାର ମୂଳଦୁଆ। ଦେଶରେ ଚାଲିଥିବା ଷ୍ଟାର୍ଟଅପ୍ ବିପ୍ଳବ ବିଷୟରେ ଉଲ୍ଲେଖ କରି ଚାକିରି ପଛରେ ନ ଧାଇଁ, ଚାକିରି ସୃଷ୍ଟିକାରୀ ହେବା ପାଇଁ ଆହ୍ଵାନ ଦେଇଥିଲେ। ସମାବର୍ତ୍ତନ ଉତ୍ସବରେ ଏମ.ବି.ଏ -୩୧୪, ଏକଜିକ୍ୟୁଟିଭ୍ ଏମ.ବି.ଏ -୩୬, ଏକଜିକ୍ୟୁଟିଭ୍ ଏମ.ବି.ଏ -୩୯, ଏକଜିକ୍ୟୁଟିଭ୍ ଏମ.ବି.ଏ – ୧୭, ଏବଂ ପି.ଏଚଡି -୫, ପି.ଏଚଡି -୫ ଜଣଙ୍କୁ ଛାତ୍ରଛାତ୍ରୀଙ୍କୁ କୃତୀ ହାସଲ କରିଛନ୍ତି ଏବଂ ଏହା ସହ ବିଭିନ୍ନ ବିଭାଗର କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ, ଅଧ୍ୟାପକ, ଅଭିଭାବକ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

