ରାଉରକେଲା ୧୧/୪,(ଉତ୍କଳ ସମାଚାର) ଇସ୍ପାତ ସହରର ସେକ୍ଟର-୧୮ ସ୍ଥିତ ଜିମିଖାନା କ୍ରିକେଟ୍ ପଡ଼ିଆରେ ଚାଲିଥିବା ଏକାଦଶତମ ହରମୋହନ ପ୍ରହରାଜ ସ୍ମାରକୀ ଆନ୍ତଃବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବୁଧବାର ଦିନ ଅନୁଷ୍ଠିତ ୨ଟି ମ୍ୟାଚ୍ରେ ସେକ୍ଟର-୨୧, ଗୁରୁନାନକ ପବ୍ଲିକ୍ ସ୍କୁଲ୍ ଓ ସେଣ୍ଟ ଆରନୋଲଡସ୍ ସ୍କୁଲ ବିଜୟ ଲାଭ କରିଛନ୍ତି। ପ୍ରଥମ ମ୍ୟାଚଟି ସେକ୍ଟର-୨୧ ଗୁରୁନାନକ ପବ୍ଲିକ ସ୍କୁଲ ଏବଂ ସେକ୍ଟର-୫ ଦୀପିକା ଇଂଲିଶ୍ ମିଡିୟମ୍ ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୀପିକା ଇଂଲିଶ୍ ମିଡିୟମ ସ୍କୁଲ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୦ ରନ୍ କରିଥିଲା ବେଳେ ଜବାବରେ ଗୁରୁନାନକ ପବ୍ଲିକ ସ୍କୁଲ୍ ମାତ୍ର ୧୮.୪ ଓଭରରେ ୬ ୱିକେଟ୍ ହରାଇ ୧୪୧ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଏହି ମ୍ୟାଚରେ ହର୍ଷଦୀପ ସିଂଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଦ୍ବିତୀୟ ମ୍ୟାଚ୍ ଛେଣ୍ଡ ଚିନ୍ମୟ ବିଦ୍ୟାଳୟ ଓ ସେଣ୍ଟ ଆରନୋଲଡସ୍ ସ୍କୁଲ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଚିନ୍ମୟ ବିଦ୍ୟାଳୟ ପ୍ରଥମ ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୦୫ ରନ୍ କରିଥିଲା। ଜବାବରେ ସେଣ୍ଟ ଆରନୋଲଡସ୍ ସ୍କୁଲ ୧୭ ଓଭରରେ ୧୦୬ ରନ୍ କରି ଏହି ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା। ଏହି ମ୍ଯାଚରେ ଆରନୋଲଡସ୍ ସ୍କୁଲର ସାଇ ଶୁଭମ୍ ପଟ୍ଟନାୟକ ଆକର୍ଷଣୀୟ ବୋଲିଂ କରି ୪ ଓଭରରେ ୧୬ ରନ୍ ଦେଇ ୪ଟି ଉଇକେଟ୍ ଅକ୍ତିଆର କରିଥିଲେ। ଏହି ଉନ୍ନତମାନର ବୋଲିଂ ପାଇଁ ସାଇ ଶୁଭମ୍ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

