ସମ୍ବଲପୁର,୧୩/୦୪(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ବୁର୍ଲା ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଅକାଳ ବିୟୋଗ ଘଟିଛି। ମୃତ କନେଷ୍ଟବଳ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କୁସୁମଡେଗ ଗ୍ରାମର ସରୋଜ ରାଜ ତିର୍କୀ (୪୧) ବୋଲି ଜଣାଯାଇଛି । ତାଙ୍କର ଏହି ଆକସ୍ମିକ ମୃତ୍ୟୁକୁ ନେଇ ସମ୍ବଲପୁର ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। କନେଷ୍ଟବଳ ସରୋଜ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ ଛୁଟିରେ ରହି ନିଜର ଚିକିତ୍ସା କରାଉଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଯାଉଥିଲେ।ଭୁବନେଶ୍ୱର ଯିବା ବାଟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା, ଯାହାଫଳରେ ତାଙ୍କୁ ଅଧା ବାଟରୁ ବୁର୍ଲା ଭିମସାରକୁ ଫେରାଇ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି I ଖବର ପାଇ ବୁର୍ଲା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

