ସମ୍ବଲପୁର,୧୩/୦୪(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରର ବୁଢ଼ାରଜା ପାହାଡ ଉପରେ ସ୍ଥିତ ମନ୍ଦିର ପରିସରରେ ରବିବାର ହନୁମାନ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଶସ୍ତ୍ର ପୁଜନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ବିଜେପି ନେତା ଡା. ପ୍ରଭାସ ଦେବତା ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୦ଟାର ଆରମ୍ଭ ହୋଇ ଦିନ ସାଢ଼େ ୧୨ଟା ସମ୍ପନ୍ନ ହୋଇଥିଲା । ଏଥିରେ କର୍ତ୍ତା ରୂପେ ଡା. ପ୍ରଭାସ ଦେବତା ଓ ତାଙ୍କର ଧର୍ମ ପତ୍ନୀ ଡା. ପ୍ରଜ୍ଞା ପରିମିତ ପଣ୍ଡା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ପାରମ୍ପରିକ ରିତିନିତି ଅନୁଯାୟୀ ପୁଜା କାର୍ଯ୍ୟକୁ ପୁଜକ ସୁରେନ୍ଦ୍ର ତ୍ରିପାଠୀ ପୌରହିତ୍ୟ କରିଥିବା ବେଳେ ବୁଢ଼ାରଜା ମନ୍ଦିରର ପୁଜକ ରାଜା ସିଂ ଏବଂ ସମାସେବୀ ନରେଶ ବର୍ମା ସହଯୋଗ କରିଥିଲେ । ଶ୍ରୀ ହନୁମାନ ଶକ୍ତିର ପ୍ରତିକ ହୋଇଥିବା ବେଳେ ହିନ୍ଦୁର ଧର୍ମରେ ଶାସ୍ତ୍ର ସହିତ ଶସ୍ତ୍ରର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ଡା. ପ୍ରଭାସ ଦେବତା କହିଛନ୍ତି । ଆଜି ହୋଇଥିବା ଏହି ଶସ୍ତ୍ର ପୁଜନ କାର୍ଯ୍ୟକ୍ରମରେ ସ୍ୱତଃ ପ୍ରବୃତ୍ତ ଭାବରେ ଶ୍ରଦ୍ଧାଳୁ ମାନେ ନିଜେ ଅସ୍ତ୍ର ଆଣି ପୁଜା କରାଇଛନ୍ତି । ଏହି ପୁଜିତ ଶସ୍ତ୍ର ଗୁଡିକୁ ଶ୍ରଦ୍ଧାଳୁ ମାନେ ନିଜ ଇଚ୍ଛାନୁଯାୟୀ ବିଭିନ୍ନ ମନ୍ଦିର ଗୁଡିକରେ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଚଳିତ ବର୍ଷ ଆରମ୍ଭ ହୋଇଥିବା ବେଳେ ପ୍ରତି ବର୍ଷ ହନୁମାନ ଜୟନ୍ତୀ ଅବସରରେ ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଡା. ଦେବତା କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଅନୁପ ବହୁଗୁଣା, ଅଶୋକ ତ୍ରିପାଠୀ, ପ୍ରଦୀପ ସାହୁ ଙ୍କ ସହିତ ଆଖପାଖ ଅଞ୍ଚଳର ଶତାଧିକ ଯୁବକ ମାନେ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ଅବସରରେ ରାଜ୍ୟ ମହିଳା କମିଶନ ର ସଦସ୍ୟ ମୁକ୍ତା ସାହୁ, ପୁର୍ବତନ ଜିଲା ବିଜେପି ସଭାପତି ଗିରିଶ ପଟେଲ, ସବିତା ନନ୍ଦ, ଗୋବିନ୍ଦ ଅଗ୍ରୱାଲ, ସୁଧିର ପୁଜାରୀ, ସୁଧିର ବହିଦାର, ଡ. ପ୍ରମୋଦ ରଥ, ବୁଲୁ ବିଶ୍ୱାଳ, ରୁନୁ ପ୍ରଧାନ, ଅନ୍ନପୁର୍ଣ୍ଣା ବାରିକଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ମାନେ ସାମିଲ ହୋଇଥିଲେ ।

