ରାଉରକେଲା ୩୦/୪(ଉତ୍କଳ ସମାଚାର): ନିଖିଳ ଉତ୍କଳ ବାରିକ ସମିତି, ରାଉରକେଲା ପକ୍ଷରୁ ଆଜି ଉଦିତନଗର ସ୍ଥିତ ସିଂହାସନୀ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଦେବଙ୍କ ଜୟନ୍ତୀ ଏବଂ ସମିତିର ବାର୍ଷିକୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୯ଟା ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଦେବଙ୍କ ପୂଜା ଏବଂ ଆରତୀ ଅନୁଷ୍ଠିତ ହୋଇଥିଲା ବେଳେ ପୂର୍ବାହ୍ନ ୧୧ଟା ସମୟରେ ନିଖିଳ ଉତ୍କଳ ବାରିକ ସମିତି, ରାଉରକେଲାର ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାର୍ଷିକୋତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ବିଜେଡି ନଗର ସଭାପତି ଗଗନ ପଣ୍ଡା, ସମ୍ମାନୀୟ ଅତିଥି ଭାବରେ ଭଞ୍ଜ କିଶୋର ସିଂହ, ନିଖିଳ ଉତ୍କଳ ବାରିକ ସମିତିର ସଭାପତି ରାଜେନ୍ଦ୍ର ବାରିକ, ଉପସଭାପତି ରବିନ୍ଦ୍ର ଠାକୁର, ସେଲୁନ୍ ଏଣ୍ଟରପ୍ରେନିୟୁଓର ବୈଦ୍ୟନାଥ ସେନ୍, କୋଷାଧ୍ୟକ୍ଷ ସଞ୍ଜୟ ଠାକୁର ପ୍ରମୁଖ ଯୋଗଦେଇ ନିଖିଳ ଉତ୍କଳ ବାରିକ ସମିତି, ରାଉରକେଲା ପକ୍ଷରୁ ନିଆଯାଇଥିବା ସାଂସ୍କୃତିକ, ଶୈକ୍ଷିକ, ସାମାଜିକ ସୁଧାର, ସାମାଜିକ ନ୍ଯାୟ ଏବଂ ସର୍ବୋପରି ସଂହତି ତଥା ଏକୀକରଣ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ଯ ଅତିଥି ଗଗନ ପଣ୍ଡା ତାଙ୍କ ବକ୍ତବ୍ୟରେ ନିଖିଳ ଉତ୍କଳ ବାରିକ ସମିତି, ରାଉରକେଲାର କର୍ମକର୍ତ୍ତାମାନଙ୍କୁ ସେମାନଙ୍କର ସେବା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଏଥିସହିତ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରିପାରି ନଥିବାରୁ କ୍ଷମାପ୍ରାଥନା କରିଥିଲେ। ସେହିପରି ସମ୍ମାନୀୟ ଅତିଥି ଭଞ୍ଜକିଶୋର ସିଂହ ନିଖିଳ ଉତ୍କଳ ବାରିକ ସମିତି, ରାଉରକେଲାର ଆଗାମୀ ବାର୍ଷିକୋତ୍ସବ ନିଜର ସ୍ବକୀୟ କାର୍ଯ୍ଯାଳୟ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ନିଖିଳ ଉତ୍କଳ ବାରିକ ସମିତିର କୋଷାଧ୍ୟକ୍ଷ ସଞ୍ଜୟ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

ନିଖିଳ ଉତ୍କଳ ବାରିକ ସମିତି, ରାଉରକେଲାର ବାର୍ଷିକୋତ୍ସବ ଅବସରରେ ସମାଜ ସେବା ପାଇଁ ନିଜର ଅନୁଭବକୁ ପ୍ରତିପାଦିତ କରିପାରିଥିବା ଦୀନବନ୍ଧୁ ବାରିକ, ରଘୁନନ୍ଦନ ଠାକୁର, ଧ୍ରୁବଚରଣ ବାରିକ୍, ରାମେଶ୍ଵର ଠାକୁର ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ଶୈକ୍ଷିକ କ୍ଷେତ୍ରରେ ନିଜ ନିଜର ଶିକ୍ଷାନୁଷ୍ଠାନରେ ଉତ୍କୃଷ୍ଟତା ପ୍ରତିପାଦନ କରିପାରିଥିବା ଛାତ୍ରୀ ପ୍ରଜ୍ଞା ବାରିକ, ଅଞ୍ଜଳୀ ଠାକୁର, ସତ୍ଯଜିତ ବାରିକ ପ୍ରମୁଖଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।
