କେନ୍ଦୁଝର, ୧୯/୦୫:(ଉତ୍କଳ ସମାଚାର) ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର ଦ୍ୱାରା ପ୍ରକାଶିତ +୩ ର ଚୂଡ଼ାନ୍ତ ପରୀକ୍ଷା ଫଳରେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ମହାବିଦ୍ୟାଳୟର ତିନି ଜଣ ମେଧାବୀ ଛାତ୍ରୀ ବିଶ୍ୱବିଦ୍ୟାଳୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ତଥା ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ବିଶ୍ବବିଦ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ କଳା ବିଭାଗରେ ମଧୁସ୍ମିତା ମହାକୁଡ଼ ବିଶ୍ୱବିଦ୍ୟାଳୟ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହାସହ ସେ ଗୃହ ବିଜ୍ଞାନ (Home Science) ବିଷୟରେ ମଧୁସ୍ମିତା ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନ (Botany) ରେ ବନଜାବାସିନୀ ମହାନ୍ତ ଏବଂ ଭୂତତ୍ତ୍ୱ ବିଜ୍ଞାନ (Geology) ରେ ଶୁଭଶ୍ରୀ ସାହୁ ବିଶ୍ୱବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ସ୍ଥାନ ହାସଲ କରି କୃତିତ୍ୱ ଅର୍ଜନ କରିଛନ୍ତି। ଛାତ୍ରୀମାନଙ୍କର ଏହି ଅସାଧାରଣ ସଫଳତା ପାଇଁ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ୍ ରଂଜନ ସାହୁ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦ କୃତୀ ଛାତ୍ରୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଛାତ୍ରୀମାନଙ୍କର ଏହି ସଫଳତା ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ପ୍ରେରିତ କରିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟ ତରଫରୁ ଆସନ୍ତା ଅଗଷ୍ଟ ୧୫ (ସ୍ୱାଧୀନତା ଦିବସ) ସମାରୋହରେ ଏହି ତିନି କୃତୀ ଛାତ୍ରୀଙ୍କୁ ବିଶେଷ ଭାବେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
