ରାଉରକେଲା ୧/୬,(ଉତ୍କଳ ସମାଚାର)ମାହଓ୍ବା ପ୍ରଦେଶର ମହାରାଣୀ ଅହଲ୍ଯାବାଇ ହୋଲକରଙ୍କ ଦ୍ବାରା ଉଦ୍ଧାର କରାଯାଇଥିବା ୨୫୦ରୁ ଉର୍ଦ୍ଧ୍ବ ଜରାଜୀର୍ଣ୍ଣ ମନ୍ଦିର, ଧର୍ମଶାଳାର ନିର୍ମାଣ, କୂଅ ଓ ପୋଖରୀର ଖନନକୁ ନେଇ ବିଏମ୍ଏସ୍ ପକ୍ଷରୁ ଆଜି ରାଷ୍ଟ୍ରୀୟ ମହିଳା ଦିବସ ରୂପେ ପାଳନ କରାଯାଇଛି। ୧୭୨୫ ମଇ ୩୧ରେ ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅହଲ୍ଯାବାଇ ପରବର୍ତ୍ତୀ ସମୟରେ ହୋଲକର ବଂଶର ବୋହୁ ହୋଇଥିଲେ। ଯୁଦ୍ଧରେ ତାଙ୍କର ସ୍ବାମୀ ଖଣ୍ଡେରାଓଙ୍କର ମୃତ୍ୟୁ ପରେ, ମାହଓ୍ବା ପ୍ରଦେଶର ଶାସନଭାର ସେ ସମ୍ଭାଳିଥିଲେ। ଅହଲ୍ଯାବାଇ ଶିବଙ୍କର ପରମ ଭକ୍ତ ଥିଲେ। ତେଣୁ ରାଜ ସିଂହାସନରେ ନିଜେ ନବସି ଶିବଙ୍କର ପ୍ରତିମୂର୍ତ୍ତି ଶିବଲିଙ୍ଗକୁ ସିଂହାସନରେ ବସାଇ ୧୭୬୭ରୁ ୧୭୯୫ ପର୍ଯ୍ୟନ୍ତ ରାଜଶାସନ କରିଥିଲେ। ମଧ୍ୟପ୍ରଦେଶର ଅବସ୍ଥିତ ମହେଶ୍ବର ଦୁର୍ଗ ତାଙ୍କର ନିବାସ ସ୍ଥଳ ଥିଲା। ସେଠାରେ ସେ ମହେଶ୍ବର ଟେକ୍ସଟାଇଲ ଶିଳ୍ପ ମଧ୍ଯ କରିଥିଲେ। ଆଜି ମଧ୍ଯ ଇନ୍ଦୋରରେ ମହେଶ୍ବର ଶାଢୀର ବହୁତ ଚାହିଦା ରହିଛି। ପ୍ରଜାମାନଙ୍କୁ ସେ ପୁତ୍ରବତ୍ ସ୍ନେହ କରୁଥିଲେ, ତେଣୁ ତାଙ୍କୁ ଲୋକମାତା କୁହାଯାଉଥିଲା। ୨୦୨୫ରେ ଭାରତ ସରକାର ଅହଲ୍ଯାବାଇଙ୍କର ୩୦୦ତମ ଜନ୍ମଜୟନ୍ତୀକୁ ସରକାରୀ ସ୍ତରରେ ପାଳନ କରିବା ସହିତ ଅହଲ୍ଯାବାଇଙ୍କ ଉପରେ ଏକ ଡାକ ଟିକଟ ଏବଂ ୩୦୦ ଟଙ୍କାର କଏନ ମଧ୍ୟ ପ୍ରଚଳନ କରିଥିଲେ। ଏଭଳି ମହିୟସୀ ମହିଳାଙ୍କ ଜନ୍ମ ତିଥିକୁ ବିଏମ୍ଏସ୍ ରାଷ୍ଟ୍ରୀୟ ମହିଳା ଦିବସ ରୂପେ ସାରା ଦେଶରେ ପାଳନ କରାଯାଉଛି। ଏହି ଉପଲକ୍ଷେ ସ୍ଥାନୀୟ ଆରଆଇକେଏସ୍ କାର୍ଯ୍ଯାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯାଜ୍ଞସେନୀ ସାମାଜିକ ସଂଗଠନର ଅଧ୍ଯକ୍ଷା ନୀନାରାଣୀ ଜେନା, ମୁଖ୍ୟ ବକ୍ତା ଭାବରେ ପ୍ରସିଦ୍ଧ ଅଧିବକ୍ତା ବବିତା ମହାପାତ୍ର ଯୋଗଦେଇଥିଲେ। ମଞ୍ଚରେ ଆରଆଇକେକେଏସର ସାଧାରଣ ସମ୍ପାଦକ ହିଂମାଶୁ ବଳ ଏବଂ ବରିଷ୍ଠ ସଦସ୍ୟ ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରଭାରୀ ରାଜେନ୍ଦ୍ର ମାହନ୍ତ ମଞ୍ଚାସୀନ ଥିଲେ। ବିଏମ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟା ସମୀତା ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦିକା ରୀତାରାଣୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

