ରାଉରକେଲା ୧୦/୬,(ଉତ୍କଳ ସମାଚାର)ମଙ୍ଗଳବାର ଦିନ ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନ୍(RMC) କମିଶନର ସୁଶ୍ରୀ ଦୀନାଃ ଦସ୍ତଗିର ନାଗରିକ ଭିତ୍ତିଭୂମିର ମୂଲ୍ୟାଙ୍କନ ଏବଂ ଜନସାଧାରଣଙ୍କ ଅଭିଯୋଗର ସମାଧାନ ପାଇଁ ବନ୍ଧମୁଣ୍ଡାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଥିମଧ୍ୟରେ ମୁଖୀ ବସ୍ତି, ଡିଜେଲ କଲୋନି, ଶ୍ରୀମନ୍ଦିର ବସ୍ତି, ଚୁଡି ବସ୍ତି ଏବଂ ଡି-କ୍ୟାବିନ ଅଞ୍ଚଳର ବ୍ୟାପକ କ୍ଷେତ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ, କମିଶନର ସ୍ଥାନୀୟ ବାସିନ୍ଦାଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ଏବଂ ସମ୍ପ୍ରଦାୟକୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟାର ସମୀକ୍ଷା ମଧ୍ଯ କରିଥିଲେ। ସେ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସେଗୁଡ଼ିକୁ ସମାଧାନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆରଏସପି କମିଶନର ସୁଶ୍ରୀ ଦସ୍ତଗିର ଅଞ୍ଚଳର ଡ୍ରେନେଜ୍ ଏବଂ ରାସ୍ତା ଭିତ୍ତିଭୂମି ଯାଞ୍ଚ କରିବା ସହିତ ଏଥିରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଯୋଜନା କାର୍ଯ୍ୟକାରୀ କରିବାରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ଧମୁଣ୍ଡାର ପରିମଳ ସେବାକୁ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ସରକାରୀ ଶୌଚାଳୟଗୁଡ଼ିକର ଆବଶ୍ୟକ ମରାମତି ଏବଂ ରକ୍ଷଣାବେକ୍ଷଣ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।କ୍ରୀଡା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି, କମିଶନର ଖେଳ ପଡ଼ିଆର ଉନ୍ନତିକରଣ ଏବଂ ସ୍ଥାନୀୟ କ୍ରୀଡାବିତ ଏବଂ ବାସିନ୍ଦାଙ୍କ ପାଇଁ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ଯୋଗାଇବା ପାଇଁ ଆହ୍ୱାନ କରିଥିଲେ। ଅଞ୍ଚଳର ଲୋକଙ୍କ ପାଇଁ ଉନ୍ନତ ନାଗରିକ ସୁବିଧା ଏବଂ ଜୀବନର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ସୁଶ୍ରୀ ଦସ୍ତଗୀର୍ ଅନୁରୋଧ କରିଥିଲେ। ଏହି କ୍ଷେତ୍ର ପରିଦର୍ଶନ ସହର ସାରା ତୃଣମୂଳ ସ୍ତରୀୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ସହିତ ଭିତ୍ତିଭୂମି ଏବଂ ପରିମଳ ଉନ୍ନତିକୁ ତ୍ୱରାନ୍ୱିତ କରିବା ପାଇଁ ଆରଏମସି ଦ୍ବାରା ଜାରି ପ୍ରୟାସର ଏହା ଏକ ଅଂଶ।

