ସମ୍ବଲପୁର,୨୧/୦୬(ଉତ୍କଳ ସମାଚାର),(ସରୋଜ ସାହୁ): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ଓ ଯୁବ ରେଡ଼କ୍ରସ୍ ୟୁନିଟ୍ ତଥା ବ୍ଳକ୍ ପ୍ରଶାସନର ମିଳିତ ଆନୁକୁଲ୍ୟ ରେ କଲେଜ ପ୍ରାଙ୍ଗଣ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଚେତନତା ସଭା ଓ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାକଟିଦେଉଳ ବ୍ଲକ ବିଡ଼ିଓ ଆକାଶ ରଞ୍ଜନ ସାହୁ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ଯୋଗ ଦେଇ କହିଥିଲେ ଯେ ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ; ଏହା ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ବୟ ରକ୍ଷା କରିବାର ଏକ ପ୍ରାଚୀନ ମାଧ୍ୟମ ଓ ଏହାକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଚାପ କମିଥାଏ ତଥା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇ ମାନସିକ ଶାନ୍ତି ମିଳିଥାଏ । ଯୁବ ରେଡ଼କ୍ରସ ୟୁନିଟ୍ ର ପରାମର୍ଶଦାତା ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ ଓ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଡଃ ଆର୍ ପୁଷ୍ପାଞ୍ଜଳି ଙ୍କ ପରିଚାଳନା ରେ ଆୟୋଜିତ ଏହି ସମାରୋହ ରେ ପ୍ରଶିକ୍ଷକ ଭାବରେ ସ୍ଵଦେଶ କୁମାର ପ୍ରଧାନ, ବ୍ଲକସ୍ତରୀୟ ସଂଯୋଜିକା ପିଙ୍କି ପ୍ରଧାନ ଏବଂ ଅନୁଷ୍ଠାନର ପୂର୍ବତନ ଛାତ୍ର ରାଜେଶ ନାୟକ ଯୋଗ ଦେଇ ଯୋଗର ବିଭିନ୍ନ ପ୍ରାଣାୟମ, ଆସନ, ମୁଦ୍ରା ଓ ପ୍ରକ୍ରିୟା ସମ୍ପର୍କ ରେ ଛାତ୍ର ଛାତ୍ରୀ ତଥା ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯୋଗ ବିଷୟ ରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଅଧ୍ୟାପକ ଶେଷ ଦେବ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି ସମାବେଶ ରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା ନିମନ୍ତ୍ରିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

