ରାଉରକେଲା:୭/୭,(ଉତ୍କଳ ସମାଚାର) ଆଜି ରାଉରକେଲା ବନ ବିଭାଗ ପକ୍ଷରୁ ୭୭ତମ ବନ ମହୋତ୍ସବ – ୨୦୨୬ ପାଳନ ଅବସରରେ “ଏକ ପେଡ୍ ମା କେ ନାମ”କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜ୍ଯସଭା ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରତିନିଧି ରଞ୍ଜିତ ନାୟକ, ରାଉରକେଲା ଇସ୍ପାତ କାରଖାନାର ପ୍ରଭାରୀ ନିର୍ଦ୍ଦେଶକ(ଡିଆଇସି) ଆଲୋକ ବର୍ମା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ରାମାସ୍ୱାମୀ ପି, ରାଉରକେଲା ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ, ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସମେତ ବଣାଇଁ ବନ ଅଧିକାରୀ ଯଶୋବନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମିୟାୱାକି ବୃକ୍ଷରୋପଣ ସ୍ଥଳ ପରିଦର୍ଶନ କରି “ଏକ ପେଡ୍ ମା କେ ନାମ” ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ସ୍କୁଲ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ସହିତ ଆଲୋଚନା କରିବା ସହ ପରିବେଶ ସଂରକ୍ଷଣରେ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିଥିଲେ।୨୦୨୬-୨୭ ବର୍ଷ ପାଇଁ, ରାଉରକେଲା ବନ ବିଭାଗକୁ ସବୁଜ ଆଚ୍ଛାଦନ ବୃଦ୍ଧି, ଜୈବ ବିବିଧତା ସଂରକ୍ଷଣ ଏବଂ ସ୍ଥାୟୀ ବନ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ୧୪.୬୦ ଲକ୍ଷ ଚାରା ବଣ୍ଟନ ଏବଂ ୩.୨୦ ଲକ୍ଷ ଚାରା ରୋପଣ କରିବାର ଲକ୍ଷ୍ୟ ରଖାଯାଇଛି।

