ସମ୍ବଲପୁର,୦୭/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ଭାରତୀୟ ରେଡକ୍ରସ ସୋସାଇଟି ଅଧୀନରେ ରାଜ୍ୟ ଜୁନିଅର ରେଡକ୍ରସ ଅଣ ତାଲିମପ୍ରାପ୍ତ କାଉନ୍ସେଲର୍ଙ୍କ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତତ୍ତ୍ଵାବଧାନରେ ଏବଂ ଜୁନିଅର ରେଡକ୍ରସ ସୋସାଇଟି, ଓଡିଶା ସହଯୋଗରେ ଧନକଉଡ଼ା ଉଚ୍ଚ ବିଦ୍ୟାଳୟ ଠାରେ ଏହି ଶିବିର ଜୁଲାଇ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। ଶିବିରରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ମୋଟ ଷାଠିଏ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାଉଂସେଲର୍ ତାଲିମ୍ ଶିବିରରେ ଯୋଗଦାନ କରିଥିବା ବେଳେ ୬ ଜଣ ସାଧନ କର୍ମୀ ତାଲିମ୍ ଦେଉଛନ୍ତି । ଆଜିର ଉଦ୍ଘାଟନୀ ଉତ୍ସବ ରେ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ ଓ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଝାରସୁଗୁଡା ର ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯଶୋବନ୍ତ ସାହୁ ଯୋଗ ଦେଇ ଜୁନିଅର ରେଡକ୍ରସ ର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ପଟଲ, ଧନକଉଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଜୁ ଅଗ୍ରୱାଲ ମଞ୍ଚାସୀନ ରହି ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ବିଶ୍ଵାମିତ୍ର ଦୀପ୍ ସ୍ଵାଗତ ଭାଷଣ ଦେଇଥିଲେ । ସାଧନ କର୍ମୀ ଭାବେ ସତ୍ୟ ନାରାୟଣ ସାହୁ, ସମୀର କୁମାର ଭୋଇ, ପ୍ରତାପ ସେନାପତି, ଆନନ୍ଦ ଡନ୍ସେନା, ଦୀପିକା ପ୍ରଧାନ ପ୍ରମୁଖ ଯୋଗ ଦେଇଥିବାବେଳେ ଆନନ୍ଦ ଡନ୍ସେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ ସାହୁ ସଂଯୋଜନା କରିଥିଲେ । ଶିକ୍ଷକ ଭୀମସେନ ବାରିକ ଏବଂ ଯୁଗଳ କିଶୋର ପେରା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

