ସମ୍ବଲପୁର,୧୧/୦୭(ଉତ୍କଳ ସମାଚାର),(ସରୋଜ ସାହୁ): ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ର ଲୋକନୀତି ଓ ପ୍ରଶାସନ କେନ୍ଦ୍ର ଆନୁକୁଲ୍ୟରେ ଲୋକ ବକ୍ତୃତାମାଳା ର ଚତୁର୍ଥ ପର୍ଯ୍ୟାୟ କ୍ରମ ରେ ” ପଣ୍ଡିତ ଦିନଦୟାଲ ଉପାଧ୍ୟାୟାଙ୍କ ଦର୍ଶନ ମାଧ୍ୟମରେ ଲୋକନୀତି ଓ ଜନମଙ୍ଗଳ ର ବୋଧଗମ୍ୟତା ” ଶୀର୍ଷକ ଅଭିଭାଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡ଼ଃ ସିଂହ ଶୁଭଲକ୍ଷ୍ମୀ ବାଇଧରଙ୍କ ପରିଚାଳନା ଓ ଡ଼ଃ ଜ୍ଞାନ ରଞ୍ଜନ ସ୍ୱାଇଁଙ୍କ ଦିଗଦର୍ଶନରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓ ନିମନ୍ତ୍ରିତ ବକ୍ତା ଭାବରେ ଉତ୍କଳ ବିଶ୍ଵବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡଃ ସ୍ଵର୍ଣ୍ଣମୟୀ ତ୍ରିପାଠୀ ଯୋଗ ଦେଇଥିଲେ । ଡ଼ଃ ଶ୍ରୀମତୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଧର୍ମର ନୈତିକ ପୃଷ୍ଠଭୁମି, ବିଶ୍ୱପରିବାର, ପୁରୁଷାର୍ଥ କରି ବିନିଯୋଗ, ପଣ୍ଡିତ ଦିନଦୟାଲଙ୍କ ଲୋକନୀତି ସମ୍ପର୍କରେ ଧାରଣା, ତାଙ୍କ ନାମରେ ନାମିତ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ, ଜନମଙ୍ଗଳ ଆଧାରିତ ଅର୍ଥନୀତି, ଜନଜୀବନର ସାମଗ୍ରିକ ବିକାଶ, ଆନ୍ତଃ ଜାତି ବିବାଦ, ପଣ୍ଡିତ ଦିନଦୟାଲ ଙ୍କ ଦର୍ଶନରେ ଲୋକ ନୀତି ଓ ଜନମଙ୍ଗଳ, ମାନବ ଜୀବନ ଓ ଲୋକ ମଙ୍ଗଳ ର ସମନ୍ବିତ ବିକାଶ, ଦାରିଦ୍ରତା, ଜନମଙ୍ଗଳ ଆଧାରିତ ପୁଞ୍ଜିବାଦ, ବିଭିନ୍ନ ପ୍ରକାରର ଲୋକନୀତି, ପ୍ରଶାସନର ପରିବେଶ ଓ ମୌଳିକ ବିକାଶର ଢ଼ାଞ୍ଚା ସମ୍ପର୍କରେ ଆଲୋକପାତ କରିଥିଲେ । ଏହିଅବସର ରେ ଡଃ ସିଂହ ଶୁଭଲକ୍ଷ୍ମୀ ବହିଦାରଙ୍କ ଦ୍ୱାରା ଇଂରାଜୀ ରେ ରଚିତ “ଭୌତିକ ଉନ୍ନତିର ଅତିକ୍ରମ କରଣ, ଆତ୍ମିକ ମାନବବାଦ ମାଧ୍ୟମରେ ପ୍ରକୃତି ସହିତ ମାନବିକ ବିକାଶର ସହବନ୍ଧନ ” ଶୀର୍ଷକ ଗବେଷଣା ପତ୍ର ଆଧାରିତ ପୁସ୍ତିକା ଲୋକାର୍ପିତ ହୋଇଥିଲା । ଡଃ କେଶବ ଚନ୍ଦ୍ର ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡଃ ପ୍ରିୟଦର୍ଶୀ ଯୋଶୀ ବିଷୟ ପରିଚୟ ଉପସ୍ଥାପନା କରିଥିଲେ ଓ ଅଧ୍ୟାପକ ଅନୁରଞ୍ଜନ ଟେଟେ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ସୁରଜ କୁମାର ବୈଦିକ ଓ ଅଧ୍ୟାପକ ପ୍ରଳୟ ଓଝା ଙ୍କ ସମେତ ଅର୍ଥନୀତି ଓ ରାଜନୀତି ବିଜ୍ଞାନ ବିଭାଗର ସମସ୍ତ ଷ୍ଟାଫ ତଥା ଛାତ୍ର ଛାତ୍ରୀ ସହଯୋଗ କରିଥିବା ବେଳେ ଡଃ ତପନ ବିଶ୍ୱାଳ, ଡ଼ଃ ଅତୁଲ ପ୍ରଧାନ ଓ ଡ଼ଃ ଦୀପେନ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହେବା ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

