ରାଉରକେଲା ୧୫/୭,(ଉତ୍କଳ ସମାଚାର) ଆସନ୍ତା କାଲି ଗୁରୁବାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଜୁନ୍ ୨୯ ତାରିଖ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବଡଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦୀରେ ମହାସ୍ନାନ କରି ଜ୍ବରରେ ପୀଡିତ ହୋଇ ଅଣସର ଘରେ ଥିଲେ। ଗୁପ୍ତ ସେବାରେ ଆରୋଗ୍ୟଲାଭ କରିବା ପରେ ଗତକାଲି ନେତ୍ରୋତ୍ସବ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ରତ୍ନ ସିଂହାସନରେ ନବଯୌବନ ଦର୍ଶନ ମିଳିଥିଲା। ଆଜି ଉଭାଯାତ୍ରା ଏବଂ ଆଜ୍ଞାମାଳ ବିଜେ। ଶ୍ରୀଜଗନ୍ନାଥ, ବଡଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ଠାରୁ ଆଜ୍ଞାମାଳ ରଥ ନିକଟକୁ ଆସିବା ପରେ ଆସନ୍ତା କାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଅନୁଷ୍ଠିତ ହେବ।ଏହି ଅବସରରେ ଆଜି ଉଦିତନଗର ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜୀଉଙ୍କ ନିତିକାନ୍ତି ଅନୁଷ୍ଠିତ ହେଉଛି। ଗୁରୁବାର ଦିନ ଶ୍ରୀ ଗୁଣ୍ଡିଚା ରଥଯାତ୍ରା। ସକାଳେ ଦ୍ଵାର ଫିଟା ନୀତି ପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ରଥ ଉପରକୁ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହେବ। ରଥ ଉପରେ ଗଜପତିଙ୍କ ଛେରାପହଁରା ପରେ ଅପରାହ୍ନ ୨ଟାରେ ରଥଯାତ୍ରାରେ ରଥଟଣା ଆରମ୍ଭ ହେବା ପାଇଁ ସମସ୍ତ ଆୟୋଜନ କରାଯାଇଛି। ସେହିପରି ରାଉରକେଲା ସହରର ପାନପୋଷ ଶ୍ରୀଜଗନ୍ନାଥ ମନ୍ଦିର, ତାରିଣୀ ମନ୍ଦିର ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ହନୁମାନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହନୁମାନ ବାଟିକା ଶ୍ରୀଜଗନ୍ନାଥ ମନ୍ଦିର, ପ୍ଲାଣ୍ଟସାଇଟ୍ ଶ୍ରୀଜଗନ୍ନାଥ ମନ୍ଦିର ଛେଣ୍ଡ କଲୋନୀ ଦେବ ବିହାର ଶ୍ରୀଜଗନ୍ନାଥ ମନ୍ଦିର, ବାସନ୍ତୀ କଲୋନୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ ସେକ୍ଟର-୩ ଅହିରାବନ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଦିତନଗର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବାୟତ ସୁଦାମା ପାଣ୍ଡେ ଏବଂ ମୁକେଶ ପାଣ୍ଡେଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଦେବନୀତି ଅନୁଷ୍ଠିତ ହେଉଛି। ଉଦିତନଗର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀ ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟର ସଭାପତି ଦିଲ୍ଲୀପ କୁମାର କରଙ୍କ ସମେତ ବିଜୟ ପ୍ରଧାନ, ରାଜେନ୍ଦ୍ର ମଲ୍ଲ, ମିଟୁ ବେଉରିଆ, ଓମପ୍ରକାଶ ବାପୁଡିଆ, ରମେଶ ଅଗ୍ରୱାଲ, ଦୀପକ ମୋଦି, ଶ୍ୟାମପ୍ରସାଦ ଜୈସ୍ବାଲ, ଅଶୋକ ମାହାତୋ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

