ରାଉରକେଲା ୧୫/୭,(ଉତ୍କଳ ସମାଚାର) ସାମାଜିକ ଗଣମାଧ୍ୟମରରେ ଏକ ଭିଡିଓରେ ବିରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ ଏବଂ ତାଙ୍କ ପିତା ତଥା ବୀରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଫଟୋକୁ ଆପତ୍ତିଜନକ ଭାବେ ବ୍ୟବହାର କରାଯାଇଥିବାରୁ ବିଶ୍ରା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ୧୪/୦୭/୨୦୨୬ ତାରିଖ ଠାରୁ ହ୍ୱାଟସଆପ୍, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଆପତ୍ତିଜନକ ଭିଡିଓ ପ୍ରସାରିତ ହେଉଛି। ଉକ୍ତ ଭିଡିଓରେ, ବିଧାୟକ ରୋହିତ ଜୋସେଫ ତିର୍କୀ ଏବଂ ପୂର୍ବତନ ବିଧାୟକ ସ୍ୱର୍ଗତ ଜର୍ଜ ତିର୍କୀଙ୍କ ଫଟୋଗ୍ରାଫ୍ ବିନା ଅନୁମତି ଏବଂ ସମ୍ମତି ବିନା ବ୍ୟବହାର କରାଯାଇଛି। ଭିଡିଓରେ ଆପତ୍ତିଜନକ ଏବଂ ବିଭ୍ରାନ୍ତିକର ବିଷୟବସ୍ତୁ ରହିଛି ଯାହା ଜନଭାବନାକୁ ଆଘାତ କରିବା ସହ ଜନପ୍ରତିନିଧିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଜଣେ ବର୍ତ୍ତମାନର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଫଟୋଗ୍ରାଫ ବ୍ୟବହାର କରି ଭ୍ରମ ସୃଷ୍ଟି କରିବା, ଭୁଲ ତଥ୍ୟ ପ୍ରସାରଣ କରିବା ଏବଂ ନେତାଙ୍କ ପ୍ରତିଛବିକୁ ଖରାପ କରିବାର ଏହା ଏକ ପ୍ରୟାସ ବୋଲି ଅଭିଯୋଗ କରାଯାଇଛି। ଭିଡିଓ ତିଆରି ଏବଂ ପ୍ରସାରିତ କରିଥିବା ବ୍ୟକ୍ତିଙ୍କ ପରିଚୟ ସାୱନ୍ ଏକ୍କା, ରେନ୍ସି ଟପ୍ପୋ ଏବଂ ବିକାଶ ସାହୁଙ୍କ ନାମ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯିବା ସହିତ ଏହି କାର୍ଯ୍ୟ ଆଇଟି ଆଇନ ୨୦୦୦ର ଧାରା ୬୬ଇ, ୬୭ ଏବଂ ଆଇପିସି ଧାରା ୪୯୯, ୫୦୦, ୫୦୫(୨)ର ସ୍ପଷ୍ଟ ଉଲ୍ଲଂଘନ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯିବା ସହ ଅପରାଧୀ ଆଇନ ଅନୁଯାୟୀ ଦଣ୍ଡନୀୟ ହେବା ଜରୁରୀ ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ପୂର୍ବରୁ ବିଭାଗ ସାୱନ୍ ଏକ୍କାଙ୍କ ଆଇଡିକୁ ୨ ଥର ବ୍ୟାନ୍ କରିବା ପରେ ମଧ୍ୟ ବ୍ୟକ୍ତି ନିଜ ପଥରୁ ନିବୃତ୍ତ ହେଉନାହାଁନ୍ତି ବୋଲି ଉଲ୍ଲେଖ କରାଯାଇଛି । ବିଶ୍ରା ବ୍ଲକ୍ ବିଜେଡି ପକ୍ଷରୁ ଏକ ଏଫଆଇଆର ପଞ୍ଜିକରଣ କରାଯିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଛି। ଏଥିସହିତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଭିଡିଓଟିକୁ ତୁରନ୍ତ ହଟାଇବା ସହ ସାୱନ୍ ଏକ୍କା ଆଇଡିକୁ ବ୍ଲକ୍ କରିବାକୁ ଦାବି କରାଯାଇଛି। ବିଶ୍ରା ବ୍ଲକ ବିଜେଡି ପକ୍ଷରୁ ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ଆଇନ ପରାମର୍ଶଦାତା ଆଜୁଜ ଆଲାମ୍, ଜରେଇକେଲା ଗ୍ରାମପଞ୍ଚାୟତର ସମିତି ସଭ୍ୟ ସୋମନାଥ ରାହା ପ୍ରମୁଖ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।

