ରାଉରକେଲା:27//7,(ଉତ୍କଳ ସମାଚାର) ଓଡ଼ିଆ ଭାଷା ବିକାଶ ମଞ୍ଚ, ରାଉରକେଲା ଆନୁକୂଲ୍ୟରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ତିରୋଧାନ ଦିବସ ସେକ୍ଟର-୧୫ସ୍ଥିତ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ଥିବା ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଯାଇଛି।ଏହି ଅବସରରେ ଅତିଥି ତୁଳସୀ ବଲ୍ଲଭ ମହାନ୍ତ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି କହିଥିଲେ ଯେ, ପଣ୍ଡିତ ଗୋଦାବରୀଶ ମିଶ୍ର ଓଡ଼ିଶାର ଜଣେ ବିଶିଷ୍ଟ ଜନସେବୀ, ରାଜନୀତିଜ୍ଞ, କବି, ନାଟ୍ୟକାର ଓ ଗାଳ୍ପିକ ଭାବେ ଓଡ଼ିଆ ଜାତୀୟ ଜୀବନର ଜଣେ ବାସ୍ତବ କଥାକାର ଥିଲେ। ମଞ୍ଚର ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାନ୍ନିଧ୍ୟ ଗୋଦାବରୀଶ ମିଶ୍ରଙ୍କ ପାଇଁ ଅମରବର ତୁଲ୍ୟ ଥିଲା। ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ, ମହତ ଚିନ୍ତାଧାରା ତଥା ଉଦାର ମାନବିକତା ତରୁଣ ଗୋଦାବରୀଶଙ୍କୁ ଉଦ୍ବୁଦ୍ଧ କରିଥିଲା।ସତ୍ୟବାଦୀ ଯୁଗ ଓ ବନ ବିଦ୍ୟାଳୟର ମୁଖ୍ୟ ଆଦର୍ଶ ଥିଲା ଜାତୀୟ ପ୍ରାଣତା ଓ ଦେଶାତ୍ମବୋଧ। ସାହିତ୍ୟ ସୃଷ୍ଟି ସହିତ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ଜଣେ ନିଷ୍ଠାବାନ ସେନାପତି ଥିଲେ ବୋଲି ସେ ମତ ରଖିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଫୁଲ୍ଲ କୁମାର ସାମଲ, ସମୀର ରଞ୍ଜନ ଦାଶ, ମନୋଜ ପ୍ରଧାନ, ବ୍ରହ୍ମାନନ୍ଦ ନାୟକ, ନାରାୟଣ ଚନ୍ଦ୍ର ମହାନ୍ତ, ପ୍ରତାପ କୁମାର ସ୍ୱାଇଁ ଓ ହରିଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ।

