ରାଉରକେଲା:୩0//୭,(ଉତ୍କଳ ସମାଚାର) ମହାକାବ୍ଯ ମହାଭାରତ ଓ ଅଷ୍ଟାଦଶ ପୁରାଣର ରଚୟିତା ମହର୍ଷି ବ୍ୟାସଦେବ ହେଉଛନ୍ତି ଉଭୟ ବ୍ରହ୍ମା ଓ ବିଷ୍ଣୁଙ୍କ ଅବତାର ବୋଲି ପବିତ୍ର ବ୍ଯାସ ପୂର୍ଣ୍ଣିମା ପାଳନ ଅବସରରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l ବେଦବ୍ୟାସ ସ୍ଥିତ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବ୍ଯାସ ମୁନିଙ୍କ ଜୟନ୍ତୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରି ମହର୍ଷି ବ୍ୟାସଦେବଙ୍କ ନାମରେ ପ୍ରତିଷ୍ଠିତ ବିଦ୍ୟାଳୟର ଐତିହ୍ଯ ସମ୍ପର୍କରେ ସୂଚନା ଦେଇଥିଲେ l ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳନ ସହିତ ବ୍ୟାସଦେବଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଛାତ୍ରଛାତ୍ରୀମାନେ ଅତିଥି ଓ ଗୁରୁଜୀ ମାନଙ୍କୁ ଫୁଲ ଚନ୍ଦନରେ ପୂଜାର୍ଚ୍ଚନା କରିଥିଲେ l ମୁଖ୍ୟ ଅତିଥି ଲାୟନ୍ସ କ୍ଲବ୍ ବେଦବ୍ୟାସ ଗ୍ରେଟରର ଅଧ୍ୟକ୍ଷ ସୁଶୀଲ କୁମାର ରାଉତ କହିଲେ ଯେ, ଗୁରୁ ପରମ୍ପରା ଅନୁସାରେ ଛାତ୍ରଛାତ୍ରୀମାନେ ଗୁରୁ ଓ ଗୁରୁଜନଙ୍କୁ ଆନ୍ତରିକ ଭକ୍ତି କଲେ ଜୀବନ ସାର୍ଥକ ହୋଇ ପାରିବ l ମୁଖ୍ୟ ବକ୍ତା ଲାୟନ୍ସ କ୍ଲବ୍ ତ୍ରିବେଣୀର ଅଧ୍ୟକ୍ଷ ଶ୍ରୀଧର ମଲ୍ଲିକ କହିଲେ ଯେ, ମହର୍ଷି ବ୍ୟାସଦେବଙ୍କ ନାମରେ ନାମିତ ଏହି ବିଦ୍ୟାଳୟର ଭାଗ୍ୟ ଓ ଭବିଷ୍ୟ ନିଶ୍ଚୟ ଉଜ୍ଜ୍ବଳ ହେବ l ଗୁରୁମାନେ ସାଧାରଣ ମଣିଷ ନୁହନ୍ତି ,ସେମାନେ ଦେବତାଙ୍କ ସ୍ଵରୂପ l ତେଣୁ ପବିତ୍ର ଗୁରୁ-ଛାତ୍ର ସମ୍ପର୍କରେ ଦୃଢ଼ତା ରହିଲେ ସେମାନେ ସୁନାଗରିକ ହୋଇ ପାରିବେ ବୋଲି ଶ୍ରୀ ମଲ୍ଲିକ କହିଥିଲେ l ସମ୍ମାନିତ ବକ୍ତା ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ଗୁରୁ ଓ ଶିକ୍ଷକ ମଧ୍ୟରେ ପ୍ରଭେଦ ଦର୍ଶାଇବା ସହିତ ଗୁରୁ ପରମ୍ପରାର ମହାନୀୟତା ଉପରେ ଆଲୋକପାତ କରିଥିଲେ l କ୍ଲବ୍ ର ଜୋନାଲ ଚେୟାରପର୍ସ ଓ ବିଶିଷ୍ଟ ଯୁବ ସାମାଜିକକର୍ମୀ ପ୍ରକାଶ ଚନ୍ଦ୍ର ଧଳ କହିଲେ ଯେ, ନିଷ୍ଠାପର ସାଧନା, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ଜୀବନ ବିକଶିତ ହୋଇ ପାରିବ l ଛାତ୍ରଛାତ୍ରୀମାନେ ଏହି ମାର୍ଗରୁ ବିଚ୍ୟୁତ ନ ହେବାକୁ ସେ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଗୋରଖ ନାଥ ଶ୍ରୀବାସ୍ତବ, ପ୍ରାକ୍ତନ ସମ୍ପାଦକ ଉଦୟ ପ୍ରକାଶ ସିଂହ, ରିଜିଓନାଲ ଚେୟାର ପର୍ସନ ପ୍ରତୀକ କୟାଲ୍ , ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ପାଢ଼ୀ, ଗିରୀଶ ଚନ୍ଦ୍ର ପଣ୍ଡା, ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁବାଳା ତ୍ରିପାଠୀ, ସୁପ୍ରିୟା ମହାରଣା, ସୀତା ନାଗ,ସୁବାସ ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ l ଶେଷରେ ଶିକ୍ଷକ ଶଶଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

