ନବରଙ୍ଗପୁର.ନରସିଂବାଘ. 31/07.(ଉତ୍କଳ ସମାଚାର) ଜିଲ୍ଲାର ରାଇଘର ଅଞ୍ଚଳରେ ସାରର ଘୋର ଅଭାବକୁ ନେଇ ଶୁକ୍ରବାର ଚାଷୀମାନଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା। ଚାଷ କାର୍ଯ୍ୟର ବ୍ୟସ୍ତ ସମୟରେ ସାର ନମିଳିବାରୁ କ୍ଷୁବ୍ଧ ଚାଷୀମାନେ ରାଇଘର ମୁଖ୍ୟ ରାଜରାସ୍ତାକୁ ପ୍ରାୟ ୩୦ ମିନିଟ୍ ଧରି ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କିଛି ସମୟ ପାଇଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।ସୂଚନା ଅନୁଯାୟୀ, ସକାଳୁ ବହୁ ସଂଖ୍ୟକ ଚାଷୀ ସାର ନେବା ଆଶାରେ ସ୍ଥାନୀୟ ଲ୍ୟାମ୍ପସରେ ପହଞ୍ଚିଥିଲେ। କିନ୍ତୁ କର୍ତ୍ତୃପକ୍ଷ ପକ୍ଷରୁ ୨୦ ତାରିଖ ପରେ ସାର ମିଳିବ ବୋଲି ସୂଚନା ଦିଆଯିବା ପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଯାଇଥିଲା। ସମୟରେ ସାର ନମିଳିଲେ ଚାଷକାର୍ଯ୍ୟ ବ୍ୟାହତ ହେବ ବୋଲି ଅଭିଯୋଗ କରି ସେମାନେ ରାସ୍ତା ଉପରେ ବସି ପ୍ରତିବାଦ ଜଣାଇଥିଲେ।ଘଟଣାର ଖବର ପାଇ ରାଇଘର ପୋଲିସ ଓ ଲ୍ୟାମ୍ପସ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ସାର ଯୋଗାଣ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ପରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ହେଡଲାଇନ ଛେଞ୍ଚ କର

