ରାଉରକେଲା ୩/୮,(ଉତ୍କଳ ସମାଚାର) ଅଗଷ୍ଟ ୨ ଓ ୩ ତାରିଖ ରାତିରେ ପ୍ଲାଣ୍ଟସାଇଟ୍ ଥାନା ଏସ୍ଆଇ ୟୁ.କେ. ଆହିର ଅନ୍ୟାନ୍ୟ ପୋଲିସ୍ କର୍ମଚାରୀଙ୍କ ସହିତ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେହି ଅଭିଯୁକ୍ତ ହେଲେ ଏସ୍ କେ ତାଜ, ପବନ ସାହୁ, ଜିତେନ୍ଦ୍ର କୁମାର ସା, ଅମିତ ପ୍ରସାଦ ଏବଂ ଜସବନ୍ତ ଛୁରା ଓରଫ୍ ଜଶା। ଅଭିଯୁକ୍ତମାନେ ରାଉରକେଲା ନୟାବଜାର ଛକ ନିକଟସ୍ଥ ଯାତ୍ରୀ ବିଶ୍ରାମାଗାରର ପଛ ପଟେ ଏକ ନିର୍ଜ୍ଜନ ସ୍ଥାନରେ ଏକତ୍ରିତ ହୋଇ ଖଣ୍ଡା, ଭୁଜାଲି (କାତି), ଲୁହା ରଡ୍ ସହ ସଜ୍ଜିତ ହୋଇ ଡକାୟତି କରିବା ପାଇଁ ପ୍ରସ୍ତୁତି ହେଉଥିଲେ। ପଥଚାରୀ, ନିକଟବର୍ତ୍ତୀ ଘର, ଦୋକାନ, ପେଟ୍ରୋଲ ପମ୍ପରୁ ଡକାୟତି କରିବା ପାଇଁ ଲୁହା ରଡ୍ ଧରି ବାହାରି ଥିଲେ। ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ଏକ ଜଘନ୍ୟ ଅପରାଧକୁ ରୋକାଯାଇପାରିଥିଲା। ଏଥିସହିତ ଜଘନ୍ଯ ଅପରାଧୀମାନଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ରେଲୱେ କଲୋନୀ ଓ୍ବାର୍ଡ ନମ୍ବର ୧୨ର ଏସ୍ କେ. ତାଜ (୨୦), ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ରେଲୱେ କଲୋନୀ ଓ୍ବାର୍ଡ ନଂ-୧୨ର ପୱନ ସାହୁ (୧୯), ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଗୋପବନ୍ଧୁପାଲ୍ଲିର ଜିତେନ୍ଦର କୁମାର ଶା (୧୯), ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ବଲଣ୍ଡାର ଅମିତ୍ ପ୍ରସାଦ (୨୫) ଏବଂ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍ ନିକଟ ହରିଜନ ବସ୍ତିର ଜଶବନ୍ତ ଖୁରା ଓରଫ୍ ଜଶା (୨୬)। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି (କାତି) ଏବଂ ଦୁଇଟି ଲୁହା ରଡ୍ ଜବତ କରାଯାଇଛି ।୫ ଅଭିଯୁକ୍ତଙ୍କ ବିରୁଦ୍ଧରେ ପ୍ଲାଣ୍ଟସାଇଟ୍ ଥାନାରେ ବିଏନ୍ଏସ୍ ଧାରା ୩୧୦(୪)/୩୧୦(୫) ଏବଂ ଅସ୍ତ୍ରଶସ୍ତ୍ର ଆଇନର (୨୫)(୧)(କ) ଧାରା ଅନୁଯାୟୀ କେସ୍ ନମ୍ବର-୮୦୦/ ତାରିଖ ୦୨.୮.୨୦୨୬ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

