ରାଉରକେଲା ୭/୮,(ଉତ୍କଳ ସମାଚାର) ନବଗଠିତ ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ ଆଜି ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ହୋଇଯାଇଛି। ଏହି ନବଗଠିତ ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକରେ ରାଉରକେଲା ସମେତ ବଣେଇ, ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ଅଞ୍ଚଳର ୬୦୦ରୁ ଉର୍ଦ୍ଧ୍ବ ସରକାରୀ ଠିକାଦାର ଏହି ପ୍ରଥମ ସାଧାରଣ ବୈଠକର ଯୋଗଦେଇଥିଲେ। ଏହି ବୈଠକରେ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣେଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡ଼ାକ୍ତର ରାଜନ ଏକ୍କା, ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ ସମେତ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ ଏବଂ ପ୍ରମୋଦ ପ୍ରଧାନ ଯୋଗଦେଇ କହିଥିଲେ ଯେ ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନ୍ ଗଠନ ଦ୍ବାରା ରାଉରକେଲା ତଥା ଜିଲ୍ଲାର ସ୍ବାର୍ଥ ରକ୍ଷା ହେବା ସହିତ ଜିଲ୍ଲା ବାହାରର କଣ୍ଟ୍ରାକ୍ଟରଙ୍କ ଦ୍ବାରା ୧୫ ପ୍ରତିଶତରୁ ଉର୍ଦ୍ଧ୍ବ ପିସି କାରବାରକୁ ରୋକାଯାଇ ପାରିବ। ଜିଲ୍ଲାର ଉନ୍ନତିମୂଳକ କାର୍ଯ୍ୟ ଭଲ ଭାବରେ ହେବା ସହ ଶୂନ୍ଯ ପ୍ରତିଶତରେ ସମସ୍ତ ସରକାରୀ ଉନ୍ନୟନ କାର୍ଯ୍ୟ ହୋଇପାରିବ। ରାଉରକେଲା ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକରେ ଆଜି ପ୍ରଥମେ ଅତିଥି ତଥା ପୃଷ୍ଠପୋଷକମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ବୈଠକରେ ମଞ୍ଚ ସଞ୍ଚାଳନ କରିଥିଲେ ବିଜୟ କୁମାର ପ୍ରଧାନ। ସଭାପତି ଭାବେ ତାପସ କୁମାର ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିଲା ବେଳେ ଉପସଭାପତି ଭାବରେ ରମେଶ ଜେନା ଏବଂ ୟଜ୍ଞ ନାରାୟଣ ପୃଷ୍ଠି, ସାଧାରଣ ସମ୍ପାଦକ ଭାବେ ପ୍ରତାପ ସାହୁ, ସହସମ୍ପାଦକ ଭାବେ ଅକ୍ଷୟ ମହାପାତ୍ର ଏବଂ ସିଦ୍ଧେଶ୍ଵର ମଲ୍ଲିକ, କୋଷାଧ୍ୟକ୍ଷ ଭାବରେ ବିଭୁ ଭୂଷଣ ବେହୁରିଆ ଏବଂ ସହ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ମନୋନୀତ କରାଯାଇଛି। ବୈଠକ ଶେଷରେ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ନୀଳକଣ୍ଠ ପ୍ରଧାନ।

