ସମ୍ବଲପୁର,୧୦/୦୮(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁରରେ ଆୟୋଜିତ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମକୁ ନେଇ ସରକାରୀ ପ୍ରୋଟୋକଲ ଉଲ୍ଲଂଘନର ଅଭିଯୋଗ ଉଠିଛି। ସରକାରୀ କାର୍ଯ୍ୟକ୍ରମର ମଞ୍ଚରେ ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ ଏବଂ ଦଳୀୟ ପଦବୀରେ ଥିବା ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କୁ ସ୍ଥାନ ଦିଆଯିବାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରୋହିତ ପୂଜାରୀ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ, ସରକାରୀ କାର୍ଯ୍ୟକ୍ରମ କୌଣସି ରାଜନୈତିକ ଦଳର ସଭା କିମ୍ବା ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ନୁହେଁ। ଏଭଳି କାର୍ଯ୍ୟକ୍ରମରେ ସାମ୍ବିଧାନିକ ପଦବୀ, ନିର୍ବାଚିତ ପ୍ରତିନିଧି ଓ ସରକାରୀ ପ୍ରୋଟୋକଲର ମର୍ଯ୍ୟାଦାକୁ ସର୍ବାଧିକ ଗୁରୁତ୍ୱ ମିଳିବା ଆବଶ୍ୟକ। କିନ୍ତୁ ଗତକାଲିର ତ୍ରିରଙ୍ଗା ଯାତ୍ରାରେ ପ୍ରୋଟୋକଲର ମର୍ଯ୍ୟାଦାକୁ ଅଣଦେଖା କରି ସରକାରୀ ମଞ୍ଚକୁ ଦଳୀୟ ମଞ୍ଚ ଭଳି ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, “ଯେତେବେଳେ ସାଂସଦ ନିଜେ ମଞ୍ଚରେ ଉପସ୍ଥିତ ଅଛନ୍ତି, ସେତେବେଳେ ତାଙ୍କ ପ୍ରତିନିଧି ନାଉରୀ ନାୟକ କେଉଁ ଅଧିକାର, କେଉଁ ନିୟମ ଏବଂ କେଉଁ ପ୍ରୋଟୋକଲ ଆଧାରରେ ସେହି ସରକାରୀ ମଞ୍ଚରେ ବସିଲେ?” I ସାଂସଦ ଉପସ୍ଥିତ ଥିବା ସମୟରେ ତାଙ୍କ ପ୍ରତିନିଧିଙ୍କୁ ମଞ୍ଚରେ ବସାଇବାର ଆବଶ୍ୟକତା କ’ଣ ଥିଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏହା କେବଳ ଗୋଟିଏ ବ୍ୟକ୍ତିଙ୍କୁ ମଞ୍ଚରେ ବସାଇବାର ପ୍ରଶ୍ନ ନୁହେଁ, ବରଂ ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲ କିପରି ପାଳନ କରାଯାଉଛି, ତାହାର ଏକ ବଡ଼ ପ୍ରଶ୍ନ ବୋଲି ସେ କହିଛନ୍ତି। ସେହିପରି, କୌଣସି ରାଜନୈତିକ ଦଳର ଜିଲ୍ଲା ସଭାପତି କିମ୍ବା ଦଳୀୟ ପଦାଧିକାରୀଙ୍କୁ ସରକାରୀ କାର୍ଯ୍ୟକ୍ରମର ମଞ୍ଚରେ କେଉଁ ପ୍ରୋଟୋକଲ ଅନୁସାରେ ସ୍ଥାନ ଦିଆଗଲା, ତାହା ମଧ୍ୟ ପ୍ରଶାସନ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ରୋହିତ ପୂଜାରୀ କହିଛନ୍ତି। ଶ୍ରୀ ପୂଜାରୀଙ୍କ ଅଭିଯୋଗ ଅନୁଯାୟୀ, ଯଦି ସରକାରୀ ମଞ୍ଚରେ ଦଳୀୟ ପଦାଧିକାରୀଙ୍କୁ ଏଭଳି ଭାବରେ ସ୍ଥାନ ଦିଆଯାଏ, ତେବେ ଆଗାମୀ ଦିନରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ମଧ୍ୟରେ ଥିବା ପାର୍ଥକ୍ୟ ହିଁ ରହିବ ନାହିଁ। ସରକାରୀ ମଞ୍ଚକୁ ଯଦି ଶାସକ ଦଳର ରାଜନୈତିକ ମଞ୍ଚରେ ପରିଣତ କରାଯାଏ, ତେବେ ଏହା କେବଳ ପ୍ରୋଟୋକଲର ଉଲ୍ଲଂଘନ ନୁହେଁ, ସରକାରୀ ବ୍ୟବସ୍ଥାର ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ସୃଷ୍ଟି କରିବ। ଏହା ସହିତ ତ୍ରିରଙ୍ଗା ଯାତ୍ରାରେ ବ୍ୟବହୃତ କେତେକ ଜାତୀୟ ପତାକାରେ ଅଶୋକ ଚକ୍ର ନଥିବା ନେଇ ମଧ୍ୟ ଶ୍ରୀ ପୂଜାରୀ ଗୁରୁତର ଆପତ୍ତି ଉଠାଇଛନ୍ତି। ଜାତୀୟ ପତାକା କେବଳ ଏକ କପଡ଼ା ନୁହେଁ, ଏହା ଦେଶର ସାର୍ବଭୌମତ୍ୱ, ଗଣତନ୍ତ୍ର, ଏକତା ଓ ଗୌରବର ପ୍ରତୀକ। ତେଣୁ ଜାତୀୟ ପତାକା ବ୍ୟବହାର କରିବା ସମୟରେ ନିର୍ଦ୍ଧାରିତ ନିୟମ ଓ ମର୍ଯ୍ୟାଦାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି, ଦେଶଭକ୍ତିର ନାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯଦି ଜାତୀୟ ପତାକାର ନିର୍ଦ୍ଧାରିତ ରୂପ ଓ ମର୍ଯ୍ୟାଦାକୁ ଅଣଦେଖା କରାଯାଏ, ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରଶାସନ ଏଭଳି ଘଟଣାକୁ ଗୁରୁତ୍ୱର ସହ ନେଇ ଯାଞ୍ଚ କରିବା ଆବଶ୍ୟକ। ରୋହିତ ପୂଜାରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ସରକାରୀ ବ୍ୟବସ୍ଥାକୁ ଯଦି ଶାସକ ଦଳର ଚାପରେ ଚଳାଯାଏ, ତେବେ ଏହା ଗଣତନ୍ତ୍ର ପାଇଁ ଏକ ଗୁରୁତର ବିପଦ।ପ୍ରଶାସନିକ ଅଧିକାରୀମାନେ ଦଳୀୟ ଚାପରୁ ମୁକ୍ତ ରହି ଆଇନ, ନିୟମ ଓ ସରକାରୀ ପ୍ରୋଟୋକଲ ଅନୁଯାୟୀ କାର୍ଯ୍ୟ କରିବା ଉଚିତ। ପ୍ରଶାସନ ଯଦି ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ଶାସକ ଦଳକୁ ଖୁସି କରିବା ପାଇଁ ‘ହଁଜି’ ଭୂମିକା ଗ୍ରହଣ କରେ, ତେବେ ସାଧାରଣ ଲୋକଙ୍କ ନିକଟରେ ପ୍ରଶାସନର ନିରପେକ୍ଷତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବ। ସେ କହିଛନ୍ତି, “ସରକାର ବଦଳିପାରେ, ଦଳ ବଦଳିପାରେ, କିନ୍ତୁ ସରକାରୀ ପ୍ରୋଟୋକଲ ଓ ସାମ୍ବିଧାନିକ ମର୍ଯ୍ୟାଦାକୁ ଦଳୀୟ ସ୍ୱାର୍ଥ ଅନୁଯାୟୀ ବଦଳାଯାଇପାରିବ ନାହିଁ।” ତେଣୁ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲର ସଠିକ୍ ପାଳନ, ଜାତୀୟ ପତାକାର ମର୍ଯ୍ୟାଦା ଏବଂ ପ୍ରଶାସନିକ ନିରପେକ୍ଷତା ନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି

