ରାଉରକେଲା ୧୪/୮,(ଉତ୍କଳ ସମାଚାର) ଜଣେ ବ୍ୟକ୍ତିଙ୍କ ଜମିର ନାମଜାରୀ (ମ୍ୟୁଟେସନ) କରିବା ପାଇଁ ଲାଞ୍ଚ ନେଇ ବିଜେପୁରର ତହସିଲର ପୂର୍ବତନ ଅତିରିକ୍ତ ତହସିଲଦାର ତଥା ବର୍ତ୍ତମାନ ରାଜଗାଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କ ଉପରେ ହୋଇଥିବା ଭିଜିଲାନ୍ସ ମାମଲାର ବିଚାର କରି ବରଗଡ଼ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁସାରେ ଶ୍ରୀ ଦଣ୍ଡସେନା ବିଜେପୁରର ଅତିରିକ୍ତ ତହସିଲଦାର ଥିବାବେଳେ ଏକ ଜମିର ନାମଜାରୀ (ମ୍ୟୁଟେସନ୍) ମାମଲାର ରେକର୍ଡ ପ୍ରକ୍ରିୟାକରଣ ପାଇଁ ଜଣେ ଜମି ମାଲିକଙ୍କ ଠାରୁ ଲାଞ୍ଚ ଦାବି କରିଥିଲେ I ଏଥିରେ ଜମି ମାଲିକ ଭିଜିଲାନ୍ସକୁ ଜଣାଇଥିଲେ। ଜମି ମାଲିକଙ୍କ ଠାରୁ ଅଭିଯୋଗ ପାଇବା ପରେ ବରଗଡ଼ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ତାଙ୍କ ବିରୋଧରେ ପିସି ଆକ୍ଟ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଥିଲେ। ଅଗଷ୍ଟ ୧୩ରେ ଏହି ମାମଲାର ଶୁଣାଣି କରି ବରଗଡ଼ ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ କଠୋର କାରାଦଣ୍ଡ ଏବଂ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଓଡିଶା ଭିଜିଲାନ୍ସ ବିଜେପୁରର ପୂର୍ବତନ ଅତିରିକ୍ତ ତହସିଲଦାର ତଥା ରାଜଗାଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ଦୋଷୀ ସାବ୍ୟସ୍ତ ହେବା ପରେ, ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣକୁ ଆବେଦନ କରିବ।
