ରାଉରକେଲା:୧୯/୦୮/୨୦୨୬,(ଉତ୍କଳ ସମାଚାର)ରାଉରକେଲା ରେଳ ଷ୍ଟେସନ ସାମ୍ନାରେ ଭୁଶୁଡ଼ି ପଡିଥିବା ରହଣି ଛାତ ବିଷୟରେ ହୋଇଥିବା ଦୁର୍ନୀତିରେ ଲିପ୍ତ ଥିବା ସଂସ୍ଥା, ନିରୀକ୍ଷକ ଅଧିକାରୀ ଓ ସମ୍ପୃକ୍ତ ଥିବା ସମସ୍ତ ଦୋଷିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କଠାରୁ ପେନାଲ୍ଟି ସହ ଖର୍ଚ୍ଚ ହୋଇଥିବା ରାଶି ଆଦାୟ କରିବା ନେଇ ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ଆଜି ରେଳବାଇ ଡିଆରଏମ ଚକ୍ରଧରପୁରର ତରୁଣ ହୁରିଆଙ୍କୁ ଭେଟିଥିଲେ।ଏହି ଅବସରରେ ଶ୍ରୀ ହୁରିଆ ମାନିଲେ ଯେ ନିର୍ମାଣ ସମୟରେ ପ୍ରବଳ ଦୁର୍ନୀତି ଯୋଗୁଁ ଏହା ଭୁଶୁଡ଼ିଲା। ଏଥିରେ ୮୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇଥିଲା ଓ ସମ୍ପୃକ୍ତ ଠିକା ସଂସ୍ଥା ଠାରୁ ସେହି ଟଙ୍କା ଆଦାୟ ହୋଇସାରିଛି ଓ ଯେଉଁ ମାନଙ୍କ ନିରୀକ୍ଷଣରେ ଏହି ନିର୍ମାଣ କାର୍ଯ୍ୟଟି ହୋଇଥିଲା ତାଉପରେ ଯାଞ୍ଚ ଓ ତଦନ୍ତ ଚାଲିଛି।ଯେହେତୁ ଙ୍କ ଅଧୀନରେ ଏହି ନିମ୍ନମାନର କାମ କରାଯାଇଥିଲା, କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଓ ଠିକା ସଂସ୍ଥାର ମାଲିକ ଖୋଲମଖୋଲା ବାହାରେ ବୁଲୁଛି, ଦୁର୍ନୀତି ଅଭିଯୋଗରେ ଏପର୍ଯ୍ୟନ୍ତ ତାକୁ ଗିରଫ କରାଯାଇନାହିଁ ତେଣୁ ଆମ ଆଦମୀ ପାର୍ଟି ତରଫରୁ କ୍ଷୋଭ ପ୍ରକାଶ କରାଯାଇଛି ଏବଂ ଉକ୍ତ କାର୍ଯ୍ୟରେ ନିୟୋଜିତ ସଂସ୍ଥା ଓ ଟେଣ୍ଡର ପ୍ରକ୍ରିୟା ରୁ ଆରମ୍ଭ କରି କାର୍ଯ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ତାଙ୍କ ଠାରୁ ପେନାଲ୍ଟି ସହ ଖର୍ଚ୍ଚ ହୋଇଥିବା ଟଙ୍କା ଆଦାୟ କରିବା ପାଇଁ ଆଜି ଆମ ଆଦମୀ ପାର୍ଟି ତରଫରୁ ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହାର କପି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପଠାଯାଇଛି।ଏହି ଅବସରରେ ପାର୍ଟି ର ଲୋକସଭା ପ୍ରଭାରୀ ବିନୟ ତିୱାରୀଙ୍କ ସହିତ ରାଉରକେଲା ଜିଲ୍ଲା ସଭାପତି ସନ୍ତୋଷ ବେହେରା ରାଉରକେଲା ଜିଲ୍ଲା ଯୁବ ସଭାପତି ନୀତିଶ କୁମାର, ଆଜମେର ଖାନ୍, ଦେବରଞ୍ଜନ ଦାସ, ପ୍ରଣୟ ପଟେଲ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

