ରାଉରକେଲା ୧୯/୮,(ଉତ୍କଳ ସମାଚାର) ଅଗଷ୍ଟ ୧୪ ତାରିଖ ଦିନ ପାନପୋଷ ଠାରେ ଥିବା ରାଉରକେଲା ସର୍କିଟ ହାଉସରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ ମାମଲାରେ ପୋଲିସ ପକ୍ଷରୁ ୭ ଅଭିଯୁକ୍ତଙ୍କୁ ଗିରଫ କରିଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ସମଗ୍ର ରାଜ୍ଯରେ ଚହଳ ପକାଇଥିଲା ବେଳେ ପୋଲିସ୍ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ପୂର୍ବରୁ ସର୍କିଟ ହାଉସର ଏକ କୋଠରୀରୁ ଏକ ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ କରାଯାଇଥିଲା। ପରେ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପୋଲିସ୍ ପକ୍ଷରୁ ଚାଲିଥିବା ତଦନ୍ତର ଅଂଶ ସ୍ୱରୂପ, ଆଜି ଅଧିକ ପଚରାଉଚରା ପାଇଁ ତିନି ଅଭିଯୁକ୍ତ – ରାଜେଶ ସାହୁ , ବିକାଶ ଡୁଙ୍ଗରି ଏବଂ ସାଗର ସାହୁଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଜେଲରୁ ଅଣାଯାଇଛି। ତଦନ୍ତକାରୀ ପୋଲିସ୍ ପକ୍ଷରୁ ଏବେ ଅଭିଯୁକ୍ତଙ୍କ ପାଇଁ କୋଠରୀ ବୁକ୍ କରାଯାଇଥିବା ବ୍ୟକ୍ତିଙ୍କ ସହିତ ମାମଲାର କୌଣସି ରାଜନୈତିକ ସମ୍ପର୍କ କିମ୍ବା ଅନ୍ୟାନ୍ୟ ପ୍ରଭାବଶାଳୀ ଲିଙ୍କ୍ ଅଛି କି ନାହିଁ ତାହା ଯାଞ୍ଚ କରାଯାଉଛି। ଅସ୍ତ୍ରଶସ୍ତ୍ର ଜବତ ସମ୍ପର୍କିତ ପରିସ୍ଥିତି ଉନ୍ମୋଚନ କରିବା ଏବଂ ମାମଲା ସହିତ ଜଡିତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତିନି ଅଭିଯୁକ୍ତଙ୍କୁ ବିସ୍ତୃତ ଭାବରେ ପଚରାଉଚରା କରିବ ବୋଲି ଆଶା କରାଯାଉଛି। ଏହି ଘଟଣାର ତଦନ୍ତ କରୁଥିବା ପାନପୋଷ ଏସଡିପିଓ ସୁଶାନ୍ତ କୁମାର ଦାସ କହିଥିଲେ ଯେ, ଅଗଷ୍ଟ ୧୧ ଓ ୧୩ ତାରିଖରେ ଜଣେ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ କେନ୍ଦ୍ର କରି ପୋଲିସ୍ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଥିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପୋଲିସର ତଦନ୍ତ ସମୟରେ ଅଭିଯୁକ୍ତ ବିକାଶ ଡୁଙ୍ଗରି ପାନପୋଷ ସର୍କିଟ ହାଉସ ନିକଟରେ ଥିବା ଖବର ପାଇବା ପରେ ଅଗଷ୍ଟ ୧୪ ତାରିଖ ଦିନ ତାକୁ ସର୍କିଟ୍ ହାଉସର ୧୦୭ ରୁମରୁ ଗିରଫ କରାଯିବା ସହ ତାର ସହଯୋଗୀକୁ ମଧ୍ୟ ସେଠାରୁ ଗିରଫ କରାଯାଇଥିଲା ବେଳେ ଆଉ ୨ ଜଣ ଫେରାର ହେବାରେ ସକ୍ଷମ ହୋଇଥିଲେ। ବିକାଶ ଡୁଙ୍ଗରି ନିକଟରୁ ୨ଟି ପିସ୍ତଲ ୩ଟି ମ୍ଯାଗାଜିନ୍ ଏବଂ ୧୧ଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା। ଏହି ଘଟଣାରେ ପୋଲିସ ଆଗକୁ ଯାଇ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳର ରାଜେଶ ସାହୁଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯିବା ସହ ସେଠାରୁ ଆଉ ଦୁଇଟି ପିସ୍ତଲ ଜବତ କରାଯାଇଥିଲା। ତେବେ ସମୁଦାୟ ୪ଟି ପିସ୍ତଲ ଜବତ୍ କରାଯାଇଥିଲା। ପୋଲିସ ପକ୍ଷରୁ ଅଭିଯୁକ୍ତ ବିକାଶ ଡୁଙ୍ଗରି, ରାଜେଶ ସାହୁ ଏବଂ ସାଗର ସାହୁଙ୍କୁ ରିମାଣ୍ଡରେ ଆଣି ଆଜି ରଘୁନାଥପାଲ୍ଲୀ ଥାନାରେ ପଚରାଉଚୁରା କରାଯିବା ସହ ଶାସକ ବିଜେପି ଦଳର ଜଣେ ଯୁବ ନେତାଙ୍କ ସମ୍ପୃକ୍ତି ଅଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଆଲୋଚନାର ବିଷୟ ହୋଇଛି। ଘଟଣାକୁ ନେଇ ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


